ନୂଆଦିଲ୍ଲୀ: ଅଭିନେତା ମୋହନଲାଲଙ୍କୁ ମିଳିବ ଦାଦାସାହେବ ଫାଲ୍କେ ପୁରସ୍କାର । ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ପାଇବେ ପୁରସ୍କାର । ୨୦୨୩ ବର୍ଷ ପାଇଁ ମୋହନଲାଲଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର ପ୍ରଦାନ କରାଯିବ । ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ପ୍ରଦାନ କରାଯିବ ଆଓ୍ୱାର୍ଡ । ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କରାଗଲା ଘୋଷଣା । ତେବେ କହିରଖୁଛୁ ଯେ ଗତ ବର୍ଷ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ୨୦୨୨ ବର୍ଷ ପାଇଁ ଦାଦା ସାହେବ ଫାଲକେ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଥିଲା ।
ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, X ରେ ଏକ ପୋଷ୍ଟରେ କହିଛି, “ଦାଦାସାହେବ ଫାଲକେ ପୁରସ୍କାର ଚୟନ କମିଟିର ସୁପାରିଶ ଅନୁଯାୟୀ, ଭାରତ ସରକାର ଘୋଷଣା କରି ଖୁସି ହେଉଛନ୍ତି ଯେ, ଶ୍ରୀ ମୋହନଲାଲଙ୍କୁ ୨୦୨୩ ପାଇଁ ପ୍ରତିଷ୍ଠିତ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ। ମୋହନଲାଲଙ୍କ ଉଲ୍ଲେଖନୀୟ ସିନେମା ଯାତ୍ରା, ସବୁ ପିଢ଼ିକୁ ପ୍ରେରଣା ଦିଏ! ଭାରତୀୟ ସିନେମାରେ ତାଙ୍କର ପ୍ରତୀକାତ୍ମକ ଅବଦାନ ପାଇଁ ଏହି କିମ୍ବଦନ୍ତୀ ଅଭିନେତା, ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କୁ ସମ୍ମାନିତ କରାଯାଉଛି । ତାଙ୍କର ଅତୁଳନୀୟ ପ୍ରତିଭା, ବହୁମୁଖୀତା ଏବଂ ନିଷ୍ଠାର ସହ କଠିନ ପରିଶ୍ରମ ଭାରତୀୟ ଚଳଚ୍ଚିତ୍ର ଇତିହାସରେ ଏକ ସୁବର୍ଣ୍ଣ ମାନଦଣ୍ଡ ସ୍ଥାପନ କରିଛି । ଏହି ପୁରସ୍କାର ସେପ୍ଟେମ୍ବର ୨୩,୨୦୨୫ରେ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଅବସରରେ ପ୍ରଦାନ କରାଯିବ,” ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।
ଚାରି ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ କ୍ୟାରିଅରରେ ସେ ୪୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ମୋହନଲାଲ କେବଳ ମାଲାୟଲମରେ ନୁହେଁ ବରଂ ତାମିଲ, ତେଲୁଗୁ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ତାଙ୍କର ଅଭିନୟ ଯାଦୁ ବିସ୍ତାର କରିଛନ୍ତି। ସେ ପାଞ୍ଚଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ପଦ୍ମଭୂଷଣ ମଧ୍ୟ ପାଇଛନ୍ତି ।ପ୍ରତ୍ୟେକ ଚରିତ୍ର ଏକ ଛାପ ଛାଡିଛନ୍ତି।ସ୍ନେହରେ ଲୋକେ ତାଙ୍କୁ ‘ଲାଲେଟନ୍’ ଡାକିଥାନ୍ତି ।