ପୋଲାଣ୍ଡ ଗସ୍ତରେ ନରେନ୍ଦ୍ର ମୋଦି : ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଆଜି

ନୂଆଦିଲ୍ଲୀ : ଦୀର୍ଘ ୪୫ର ବ୍ୟବଧାନ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ପୋଲାଣ୍ଡ ଗସ୍ତ କରିଛନ୍ତି । ପୋଲାଣ୍ଡର ରାଜଧାନୀ ୱାରସାରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପୋଲାଣ୍ଡର ଉପବିଦେଶ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରି ପାଛୋଟି ନେଇଥିଲେ । ସେଠାରେ ରହୁଥିବା କିଛି ଭାରତୀୟ ମୋଦିଙ୍କ ହାତରେ ରଖି ବାନ୍ଧି ତାଙ୍କୁ ସ୍ୱାଗତ କରିଥିଲେ । ୱାରସାରେ ସ୍ମାରକ ସ୍ଥଳ ଭ୍ରମଣ କରିବା ସହ ଭାରତୀୟ ମାନଙ୍କୁ ଉଦବୋଧନ ଦେଇଛନ୍ତି। ଉକ୍ତ ସ୍ଥାନରେ ପ୍ରାୟ ୨୫ ହଜାର ଭାରତୀୟ ବଂଶୋଦ୍ଭବ ଉପସ୍ଥିତ ଥିଲେ । ସେମାନଙ୍କୁ ଭାରତର ବିକାଶ ଓ ଗୌରବ ଗାଥା ଶୁଣାଇଛନ୍ତି ।
ବିଶ୍ୱବାସୀଙ୍କୁ ଭାରତର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ଯୁଦ୍ଧ କରିବାର ସମୟ ନୁହେଁ । ଯେଉଁ ସମୟରେ ସାରା ବିଶ୍ବ ଯୁଦ୍ଧ ଓ କରୋନା ଭଳି ମହାମାରୀ ସହ ସଂଘର୍ଷ କରୁଥିଲା ସେହି ସମୟରେ ଭାରତ ମାନବିକତା ପାଇଁ କାମ କରିଛି । ଏହି ଗସ୍ତରେ ପୋଲାଣ୍ଡର ରାଷ୍ଟ୍ରପତି ଏଣ୍ଡ୍ରେଜ୍ ସେବାସ୍ତିଆନ ଡୁଡ଼ା ଏବଂ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କ ସହ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିବେ । ଏବଂ ପୋଲାଣ୍ଡର ସଂସ୍କୃତି ଓ ଚଳଣିକୁ ବୁଝିବା ପାଇଁ ପୋଲାଣ୍ଡ ନାଗରିକଙ୍କ ସହ ମଧ୍ୟ କଥା ହେବେ । ଅଗଷ୍ଟ ୨୩ ତାରିଖରେ ପୋଲାଣ୍ଡ ପରେ ମୋଦି ୟୁକ୍ରେନ ଗସ୍ତ କରିବାର ଯୋଜନା ରହିଛି । ସେଥିପାଇଁ ସେ ପୋଲାଣ୍ଡ ରୁ ୧୦ ଘଣ୍ଟା ଧରି ଟ୍ରେନରେ ୟୁକ୍ରେନ ଗସ୍ତ କରିବେ। ୧୯୯୨ ମସିହାରେ ୟୁକ୍ରେନ ଓ ଭାରତ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ୟୁକ୍ରେନ ଗସ୍ତ। ତେବେ ନରେନ୍ଦ୍ର ମୋଦିଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜବୁତ କରିବାରେ ସହାୟକ ହେବ ।