ପୁରୀରେ ଅଗ୍ନିଶମ ବାହିନୀ ପକ୍ଷରୁ ଅଗ୍ନିକାଣ୍ଡରୁ ସୁରକ୍ଷା ପାଇଁ ମକଡ୍ରିଲ୍

ପୁରୀ(ଜୟନ୍ତ କୁମାର ସେଠୀ): ରାଜ୍ୟରେ ଏପ୍ରିଲ ୧୪ ତାରିଖରୁ ଆରମ୍ଭ କରି ୨୦ ତାରିଖ ପର୍ଯ୍ୟନ୍ତ ଅଗ୍ନିଶମ ସେବା ସପ୍ତାହ ଭାବେ ପାଳନ କରାଯାଇଥାଏ । ଅଗ୍ନିକାଣ୍ଡ ଭଳି ଦୁର୍ଘଟଣାରେ କିଭଳି ଧନ ଜୀବନ ନଷ୍ଟ ହେବାରୁ ରୋକିହେବ ସେ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଁ ଏହି ଅଗ୍ନିଶମ ସେବା ସପ୍ତାହ ପାଳନ କରାଯାଏ । ଏହି କ୍ରମରେ ପୁରୀରେ ମଧ୍ୟ ଅଗ୍ନିଶମ ବାହିନୀ ପକ୍ଷରୁ ଅଗ୍ନିଶମ ସେବା ସପ୍ତାହ ପାଳନ କରାଯାଇଛି । ବଡ଼ଦାଣ୍ଡରେ ଥିବା ବିଭିନ୍ନ ସପିଂ ମଲରେ ଏ ନେଇ ମକ ଡ୍ରିଲ କରାଯାଇ ଥିଲା । ହଠାତ ନିଆଁ ଲାଗିଲେ କିଭଳି ନିଆଁ ଲିଭା ଯନ୍ତ୍ରରେ ନିଆଁ କୁ ଆୟତ୍ତ କରାଯିବ । ସେନେଇ ସପିଂ ମଲର ସୁରକ୍ଷା କର୍ମୀଙ୍କୁ ତାଲିମ ଦିଆଯାଇ ଥିଲା।

ଅନ୍ୟପକ୍ଷେ ଅଗ୍ନିକାଣ୍ଡ ଭଳି ଦୁର୍ଘଟଣାରେ ଲୋକଙ୍କୁ କିଭଳି ସୁରକ୍ଷିତ ଉଦ୍ଧାର କରାଯିବ, ଦୁର୍ଘଟଣାରେ କୌଣସି ଦିବ୍ୟାଙ୍ଗ ଲୋକ ଫସି ରହିଥିଲେ ତାଙ୍କୁ କିପରି ସୁରକ୍ଷିତ ଉଦ୍ଧାର କରିହେବ, ସପିଂ ମଲର ପ୍ରସ୍ଥାନ ଦ୍ୱାର କିଭଳି ରହିବ, ଏହି ସବୁ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ମକ ଡ୍ରିଲ ମାଧ୍ୟମରେ ଦର୍ଶାଯାଇଥିଲା । ଏହା ଦ୍ୱାରା ଅଗ୍ନିକାଣ୍ଡ ବେଳେ ନିଜକୁ କିଭଳି ସୁରକ୍ଷିତ ରଖିହେବ ସେ ନେଇ ସଚେତନତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।