କର୍ଣ୍ଣାଟକରେ ଚାଲିଛି ବିଧାନସଭା ଅଧିବେଶନ । ଏହାରି ଭିତରେ ବିଜେପିର ୧୦ ଜଣ ବିଧାୟକଙ୍କୁ ଅବଶିଷ୍ଟ ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି । ସୂଚନା ଅନୁଯାୟୀ ସେମାନେ ଗୃହ ଚାଲିଥିବାବେଳେ ଉପବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗିଥିଲେ । ବିରୋଧୀ ଦଳଙ୍କ ବୈଠକକୁ ଜଣେ ଆଇଏଏସ ଅଧିକାରୀଙ୍କୁ ପଠାଇବାକୁ ନେଇ ବିଜେପି ଅସନ୍ତୁଷ୍ଟ ଅଛି । ଏହି ହଙ୍ଗାମା ସମୟରେ ଜଣେ ବିଜେପି ବିଧାୟକ ଅଚେତ ହୋଇପଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କର୍ଣ୍ଣାଟକ ବିଧାନସଭା ବାଚସ୍ପତି ଗୃହର ଚଳିତ ଅଧିବେଶନରେ ଅଶାଳୀନ ଏବଂ ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ୧୦ ଜଣ ବିଜେପି ବିଧାୟକଙ୍କୁ ବାକି ବିଧାନସଭା ଅଧିବେଶନ ପାଇଁ ନିଲମ୍ବିତ କରିଛନ୍ତି। ଉପବାଚସ୍ପତିଙ୍କ ଉପରକୁ କାଗଜପତ୍ର ଫିଙ୍ଗିବା ଅଭିଯୋଗରେ ବିଧାନସଭା ଅଧିବେଶନରୁ ନିଲମ୍ବିତ ହୋଇଥିବା ୧୦ ଜଣ ବିଜେପି ବିଧାୟକ ହେଲେ ସୁନୀଲ କୁମାର, ଆର. ଅଶୋକ, ସିଏନ୍ ଅଶ୍ୱଥ ନାରାୟଣ, ୟଶପାଲ ଆନନ୍ଦ ସୁବର୍ଣ୍ଣା, ଡି ବେଦ ବ୍ୟାସ କାମାଥ, ଅରବିନ୍ଦ ବେଲାଡ, ଆରାଗା ଜ୍ଞାନେନ୍ଦ୍ର, ଉମାନାଥ କୋଟିଆନ୍, ଧୀରଜ ମୁନିରାଜୁ ଏବଂ ଭରତ ସେଟ୍ଟୀ ୱାଇ।