ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଭାରତୀୟ ମହିଳା ଦଳର ଅଧିନାୟକ ମିତାଲି ରାଜ୍ । ମିତାଲି ଗତ ୨୩ ବର୍ଷ ଧରି ଭାରତ ପାଇଁ କ୍ରିକେଟ ଖେଳୁଥିଲେ । ତେବେ ସେ ବୁଧବାର ୩୯ ବର୍ଷ ବୟସରେ ସେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଛନ୍ତି । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଥିବା ମିତାଲିଙ୍କ କ୍ୟାରିୟରରେ ସେ ଅନେକ ସଫଳତା ତାଙ୍କ ନାମରେ କରିଥିଲେ । ମହିଳା ଦିନିକିଆରେ ସର୍ବାଧିକ ରନ ହାସଲ କରିବାର ରେକର୍ଡ ମିତାଲିଙ୍କ ନାଁରେ ରହିଛି ।
ତେବେ ଅବସର ପୂର୍ବରୁ ମିତାଲି ତାଙ୍କ ମେସେଜରେ ଲେଖିଛନ୍ତି, ମୁଁ ଛୋଟ ଝିଅଟେ ଥିଲି, ଯେତେବେଳେ ବ୍ଲୁ ଜର୍ସି ପିନ୍ଧି ନିଜ ଦେଶ ପାଇଁ ପ୍ରତିନିଧିତ୍ବ କରିଥିଲି। ଏହି ଯାତ୍ରା ଖୁବ୍ ଲମ୍ବା ଚାଲିଥିଲା, ଯେଉଁଥିରେ ସବୁପ୍ରକାର ସମୟ ଦେଖିବାକୁ ମିଳିଲା। ଗତ ୨୩ ବର୍ଷ ମୋ ଜୀବନର ସବୁଠାରୁ ଭଲ ସମୟ ଭିତରୁ ଅନ୍ୟତମ ଥିଲା। ସବୁ ଯାତ୍ରା ଭଳି ଏହି ଯାତ୍ରା ମଧ୍ୟ ଶେଷ ହେଉଛି ଓ ଆଜି ଇଣ୍ଟରନ୍ୟାସନାଲ କ୍ରିକେଟର ସବୁ ଫର୍ମାଟରୁ ସନ୍ୟାସ ନେବାର ଘୋଷଣା କରୁଛି। ମୁଁ ଫିଲ୍ଡରେ ଯେତେବେଳେ ପାଦ ରଖିଥିଲି, ସବୁବେଳେ ଭଲ କରିବାର ଚେଷ୍ଟା କରିଥିଲି ଓ ଟିମ୍କୁ ଜିତାଇବା ଉପରେ ଫୋକସ୍ କରୁଥିଲି। ମୋତେ ଲାଗୁଥିଲା, ନିଜର କ୍ୟାରିୟରକୁ ଅଲବିଦା କହିବାର ପ୍ରକୃତ ସମୟ, ଭାରତର ଭବିଷ୍ୟତର ଯୁବ ଖେଳାଳିଙ୍କ ପାଇଁ ମୁଁ ଅଛି। ମୁଁ ବିସିସିଆଇ ସଚିବ ଜୟ ଶାହ ଓ ଅନ୍ୟ ଅଧିକାରୀଙ୍କୁ ଧନ୍ୟବାଦ ଜଣାଉଛି। ବହୁ ବର୍ଷ ପର୍ଯ୍ୟନ୍ତ ଦଳର କ୍ୟାପଟେନ୍ ଥିବାରୁ ମୋ ପାଇଁ ଏହା ଗର୍ବର କଥା। ବର୍ତ୍ତମାନ ଜଣେ ମଣିଷ ଭାବରେ ଭଲ ହେବା ସହିତ ମହିଳା କ୍ରିକେଟକୁ ଆଗକୁ ବଢାଇବାର ଅଛି। ଏହି ଯାତ୍ରା ଶେଷ ଯଦିଓ ହୋଇଛି, କିନ୍ତୁ କୌଣସି ନା କୌଣସି ରୂପରେ କ୍ରିକେଟ୍ ସହିତ ମୁଁ ଯୋଡି ହୋଇ ରହିବି। ଭାରତ ତଥା ବିଶ୍ୱରେ ମହିଳା କ୍ରିକେଟର ଉନ୍ନତି ପାଇଁ ମୁଁ ଯଥା ସମ୍ଭବ ଚେଷ୍ଟା କରିବି ବୋଲି ମିତାଲି ରାଜ୍ ଟ୍ୱିଟ କରି କହିଛନ୍ତି ।
Thank you for all your love & support over the years!
I look forward to my 2nd innings with your blessing and support. pic.twitter.com/OkPUICcU4u— Mithali Raj (@M_Raj03) June 8, 2022
ତାଙ୍କ କ୍ୟାରିୟର ବିଷୟରେ ଯଦି କଥା ହେବା ତେବେ ସେ ୨୩୨ ଦିନିକିଆ ମ୍ୟାଚରେ ୭୮୦୫ ରନ୍ କରିଥିଲେ, ଏହି ସମୟରେ ମିଥାଲିଙ୍କ ଆଭରେଜ୍ ୫୦.୬୮ ଥିଲା। ଦିନିକିଆ କ୍ରିକେଟରେ ସେ ସବୁଠାରୁ ଅଧିକ ରନ୍ କରିଥିବା ମହିଳା କ୍ରିକେଟର। ମିଥାଲିଙ୍କ ନାଁରେ ୭ଟି ଶତକ ଓ ୬୪ ଅର୍ଦ୍ଧଶତକ ରହିଛି। ସେ ୨୩ ବର୍ଷର କ୍ୟାରିୟରରେ କେବଳ ୧୨ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି, ଏଥିରେ ୪୩.୬୮ର ଆଭରେଜ୍ ୬୯୯ ରନ୍ କରିଛନ୍ତି, ଯେଉଁଥିରେ ଦ୍ବିଶତକ ମଧ୍ୟ ରହିଛି। ସେଭଳି ଇଣ୍ଟରନ୍ୟାସନାଲ ଟି-୨୦ କଥା ହେବା ତେବେ ସେ ୮୯ ମ୍ୟାଚରେ ୨୩୬୪ ରନ୍ କରିଛନ୍ତି। ଟି-୨୦ ଇଣ୍ଟରନ୍ୟାସନାଲରେରେ ୧୭ଟି ଅର୍ଦ୍ଧଶତକ କରିଛନ୍ତି। ୧୯୯୯ ମସିହା ଜୁନ୍ ମାସରେ ମିତାଲି ଆୟର୍ଲ୍ୟାଣ୍ଡ ବିପକ୍ଷରେ ଭାରତ ପାଇଁ ଡେବ୍ୟୁ କରିଥିଲେ । ତାଙ୍କ ଅଧିନାୟକତ୍ୱରେ ଭାରତୀୟ ମହିଳା ଦଳ ୨୦୧୭ ବିଶ୍ୱକପ ଫାଇନାଲ ଖେଳିଥିଲେ । କିନ୍ତୁ ଫାଇନାଲ ମ୍ୟାଚରେ ଇଂଲଣ୍ଡଠାରୁ ପରାଜିତ ହୋଇଥିଲା । ଯାହା ଫଳରେ ବିଶ୍ୱକପ ବିଜୟ ସ୍ୱପ୍ନ ଭାରତ ପାଇଁ ଅଧୁରା ରହିଯାଇଥିଲା ।