ଓଟାୱା-: କାନାଡ଼ାରେ ଗତ ୪ ଦିନ ଧରି ନିଖୋଜ ଥିବା ଭାରତୀୟ ଛାତ୍ରୀ ବଂଶିକାଙ୍କ ମୃତଦେହ ଉଦ୍ଧାର ହୋଇଛି । କାନାଡ଼ାରେ ଥିବା ଭାରତୀୟ ଦୂତାବାସ ମଧ୍ୟ ବଂଶିକାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛି । ବଂଶିକାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି, ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । କାନାଡ଼ା ପୁଲିସ ଘଟଣାର ତଦନ୍ତ କରୁଛି ।
ସୂଚନା ଅନୁସାରେ, ବଂଶିକା ଆମ୍ ଆଦମୀ ପାର୍ଟି ନେତା ଦେବିନ୍ଦର ସିଂହଙ୍କ ଝିଅ । ବଂଶିକା ପଞ୍ଜାବର ଡେରା ବସ୍ସି ନିବାସୀ ଥିଲେ ଏବଂ ପ୍ରାୟ ଅଢ଼େଇ ବର୍ଷ ପୂର୍ବେ ପାଠପଢ଼ିବା ପାଇଁ ସେ କାନାଡା ଯାଇଥିଲେ । ବଂଶିକା ୨୫ ଏପ୍ରିଲ୍, ୨୦୨୫ ଶୁକ୍ରବାର ସନ୍ଧ୍ୟାରେ ରାତି ପ୍ରାୟ ୮ରୁ ୯ଟା ଭିତରେ ୭ ମାଜେଷ୍ଟିକ୍ ଡ୍ରାଇଭ୍ରେ ଥିବା ତାଙ୍କ ଘରୁ ଅନ୍ୟ ଏକ ଘର ଦେଖିବା ପାଇଁ ବାହାରି ଆଉ ଫେରି ନଥିଲେ । ନିଖୋଜ ହେବାର ୪ଦିନ ପରେ ତାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ସମୁଦ୍ର କୂଳରୁ ଉଦ୍ଧାର ହୋଇଥିଲା ।
କାନାଡାରେ ଥିବା ଭାରତୀୟ ଉଚ୍ଚାୟୋଗ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି କହିଛନ୍ତି ଆମେ ଶୋକସନ୍ତପ୍ତ ପରିବାର ସହିତ ରହି ଅଛୁ ଏହି ମାମଲାର ତଦନ୍ତ ସ୍ଥାନୀୟ ପୋଲିସ କରୁଅଛି ଯଥା ଶୀଘ୍ର ସତ୍ୟତା ସାମ୍ନାକୁ ଆସିବ ।