ପୁରୀ ବେଳାଭୂମିରୁ ନିଖୋଜ, ବାଲେଶ୍ବରରୁ ଉଦ୍ଧାର । ଗତ ରବିବାର ପୁରୀ ସମୁଦ୍ରରେ ଗାଧୋଉଥିବା ସମୟରେ କରେଣ୍ଟରେ ପଡ଼ିଯିବା ଯୋଗୁଁ ଜଣେ ଛାତ୍ର ନିଖୋଜ ହୋଇଯାଇଥିଲେ। ଅଗ୍ନିଶମ ବିଭାଗ ଓ ସମୁଦ୍ରକୂଳ ଥାନା ପୋଲିସ ମିଳିତ ଭାବେ ଖୋଜାଖୋଜି କରିଥିଲେ। ଆଉ ଆଜି ବେଲେଶ୍ୱର ନିକଟ ସମୁଦ୍ର କୂଳରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ଶବ ଜବତ କରିବା ସହ ଚନ୍ଦ୍ରଭାଗା ମେରାଇନ ଥାନାକୁ ହସ୍ତାନ୍ତର କରାଯାଇଛି। ପୁଲିସ ପକ୍ଷରୁ ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଛି। ସମ୍ପର୍କୀୟ ମାନେ ସହଯୋଗ କରୁଛନ୍ତି ବୋଲି କହିଛନ୍ତି ଅତିରିକ୍ତ ଅଗ୍ନିଶମ ଅଧିକାରୀ ପ୍ରଭାତ ରାଉତ। ତେବେ ରବିବାର ଦିନ ଘଟିଥିଲା ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ଗାଧୋଉଥିବା ସମୟରେ ନିଖୋଜ ହୋଇଯାଇଥିଲା ଜଣେ ଭୁବନେଶ୍ୱର ITER କଲେଜର ବି-ଟେକ୍ ର ଛାତ୍ର ଅନିମେଷ ଶାହା। ତିନିଜଣ ସାଙ୍ଗଙ୍କ ସହ ପୁରୀ ଆସିଥିଲା ଅନିମେଷ। ଦିନ ପ୍ରାୟ ୧୨ଟା ସମୟରେ ସ୍ୱର୍ଗଦ୍ୱାର ନିକଟ ସମୁଦ୍ରରେ ସାଙ୍ଗ ମାନଙ୍କ ସହ ଗାଧୋଉଥିଲା। ମାତ୍ର ସମୁଦ୍ର ଅଶାନ୍ତ ଥିଲା। ୱେଭରେ ପଡ଼ିଯାଇଥିଲା ଅନିମେଷ। ଗତକାଲି ଠାରୁ ସମୁଦ୍ରରେ ନିଖୋଜ ହୋଇଯାଇଥିଲେ। ସମୁଦ୍ର କୂଳ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଅଗ୍ନିଶମ ବିଭାଗ ଓ ସମୁଦ୍ରକୂଳ ଥାନା ପୁଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ହେଲେ ଅନିମେଷଙ୍କର ପତ୍ତା ମିଳିନଥିବା ବେଳେ ଆଜି ବେଲେଶ୍ୱର ସମୁଦ୍ରକୂଳରୁ ମୃତଦେହ ଉଦ୍ଧାର ହୋଇଛି। ଅନିମେଷଙ୍କ ମୃତଦେହ ବୋଲି ତାଙ୍କ ସମ୍ପର୍କୀୟ ଚିହ୍ନଟ କରିଛନ୍ତି। ତେବେ ଝାରଖଣ୍ଡ ପୂର୍ବଶିବଭୁମ ଜିଲ୍ଲା ବହରଗଡ଼ ଗାଁର ସତ୍ୟବାନ ଶାହାଙ୍କ ପୁଅ ଅନିମେଷ ବୋଲି ଜଣାପଡିଛି। ମୃତଦେହକୁ ଶବବ୍ୟବଚ୍ଛେଦ ପାଇଁ ପୁରୀ ସଦର ହସପିଟାଲକୁ ପଠାଯାଇଛି।