ପ୍ରଥମେ ଅପହରଣ ଓ ପରେ ମାଟିତଳୁ ମିଳିଲା ଶବ: କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାରୁ ପର୍ଦ୍ଦା ଉଠାଇଲା ପୋଲିସ

ଭୁବନେଶ୍ୱର: କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ଘଟଣାରୁ ପର୍ଦ୍ଦା ଉଠାଇଛି ପୋଲିସ ।ପ୍ରଥମେ ଚାନ୍ଦବାଲିରୁ ଅପହରଣ ପରେ ପ୍ଲାନ ଅନୁଯାୟୀ ହତ୍ୟା ଘଟଣାକୁ ଦିଆଯାଇଥିଲା ବର୍ବରଚିତ ମୋଡ଼ । ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ପାହାଡ ନିକଟରେ ମାଟି ଖୋଳି ଶବକୁ ଉଦ୍ଧାର କରାଯିବା ସହ ଅଭିଯୁକ୍ତକୁ ନେଇ ଘଟଣା ସ୍ଥଳରେ ସିନ ରି-କ୍ରିଏଟ କରାଯାଇଛି ।

ସୂଚନା ଅନୁଯାୟୀ ପ୍ରଥମେ ଅପହରଣ କରାଯିବା ପରେ ହୋଇଥିଲା ପ୍ରିପ୍ଲାନ ହତ୍ୟା । ଘଟଣା କିଛି ଏପରି ଥିଲା, ଫେବ୍ରୁଆରୀ ୭ ତାରିଖରେ ନୟାଗଡ ଜିଲ୍ଲା ରଣପୁର ଥାନା ନୂଆପଲ୍ଲି ଗୋଡିପୋଖରୀ ଗାଁର ମାନସ ସ୍ୱାଇଁ ଚାନ୍ଦବାଲିର ଏକ ବାହାଘରରେ ଫଟୋ ଉଠାଇବାକୁ ଆସିଥିଲେ । ଏହି ସମୟରେ ଭୁବନେଶ୍ୱରରୁ ୫ ଜଣ ଆସି ପ୍ରଥମେ ମାନସକୁ ଅପହରଣ କରି ନେଇଥିଲେ । ଏବଂ ତାଙ୍କୁ ଅପହରଣ କରି ରାଜଧାନୀ ଆଣିବା ପରେ ପୂର୍ବ ପ୍ଲାନ ମୁତାବକ ନୃଶଂସ ଭାବେ ତାଙ୍କୁ ହତ୍ୟା କରାଯାଇଥିଲା ।

ହତ୍ୟାପରେ ତାଙ୍କୁ ରଣପୁର ଥାନା ବଧିପାଟଣା ନିକଟ ପାହାଡ ନିକଟରେ ମାଟିଖୋଳି ପୋତି ଦେଇଥିଲେ ଘଟଣାରେ ସମ୍ପୃକ୍ତ ୫ ଜଣ ଅପରାଧୀ । ତେବେ ହତ୍ୟା ଘଟଣା ଘଟାଇ ସାରି ନିର୍ଭୟରେ ରହିଥିବା ଏହି ଅପରାଧୀ ଭୁଲିଯାଇଥିଲେ ଆଇନ ଆଖିରେ ଧୂଳି ଦେଇ କୌଣସି ଅପରାଧି ଆଜି ପର୍ଯ୍ୟନ୍ତ ଆଇନ ହାତରୁ ଖସି ଯାଇପାରିନାହାନ୍ତି ।ଅପହରଣ ଘଟଣା ନେଇ ମାନସଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ଘଟଣାରେ ଛାନଭିନ ଆରମ୍ଭ କରିଥିଲେ ଚାନ୍ଦବାଲି ଥାନା ଅଧିକାରୀ କରୁଣାକର ରାଉତ ଏବଂ ଏସଡିପିଓ ଦେବୀ ଶଙ୍କର ପ୍ରତାପ ।

ଘଟଣାରେ ୩ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ ରି-କ୍ରିଏଟ କରିବା ସହ କେମିତି ସେମାନେ ଅପହରଣ କରିଥିଲେ ଓ ହତ୍ୟା କରିବା ପରେ ଶବକୁ ପୋତିଥିଲେ ତାର ଗୋଟି ଗୋଟି କରି ଡେମୋ ଦେଖାଇଛନ୍ତି ଅଭିଯୁକ୍ତ । ସୂଚନା ଅନୁଯାୟୀ ଗିରଫ ଅଭିଯୁକ୍ତ ମାନେ କୃଷ୍ଣଚନ୍ଦ୍ର ନାୟକ, ଭାଗ୍ୟଧର ନାୟକ ଓ ବିବେକ ନାୟକ ବୋଲି ସୂଚନା ମିଳିଛି । ଘଟଣାରେ ଜଡ଼ିତ ଅଭିଯୁକ୍ତ ମାନଙ୍କ ଘର ନୟାଗଡ଼ ହୋଇଥିବା ବେଳେ ଭୁବନେଶ୍ୱରରେ ରହି ଏମାନେ ଏହି ହତ୍ୟାକାଣ୍ଡ ଘଟାଇବା ପରେ ନୟାଗଡ ଆଣି ଶବକୁ ଠିକଣା ଲଗାଇଥିଲେ ।

ଘଟଣାରେ ସମ୍ପୃକ୍ତ ୫ଜଣଙ୍କ ମଧ୍ୟରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାସ୍ଥଳରୁ ମାଟିଖୋଳି ଶବକୁ ଉଦ୍ଧାର କରିଛି ପୋଲିସ । ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନେ ଖୁବ ଶୀଘ୍ର ଗିରଫ ହେବେ ବୋଲି ପୋଲିସ ତରଫରୁ ସୂଚନା ମିଳିଛି । ଅନ୍ୟପକ୍ଷେ ରଣପୁର ପୋଲିସ ଘଟଣାରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।