ହାଇଦ୍ରାବାଦ-: ୨୦୨୫ ମସିହାର ମିସ୍ ୱାର୍ଲ୍ଡ ବିଜେତା ହେଲେ ଥାଇଲାଣ୍ଡ ସୁନ୍ଦରୀ ଓପାଲ ସୁଚାତା ଚୁଆଙ୍ଗଶ୍ରୀ । ହାଇଦ୍ରାବାଦର ହିଟେକ୍ସ କନଭେନସନ ସେଣ୍ଟରରେ ଆୟୋଜିତ ଗ୍ରାଣ୍ଡ ଫିନାଲେ ପର୍ଯ୍ୟାୟରେ ସୁଚାତା ମିସ୍ ଓ୍ବାର୍ଲ୍ଡ ୨୦୨୫ ଟାଇଟଲ ହାତେଇବାରେ ସଫଳ ହୋଇଛନ୍ତି । ‘ମିସ୍ ୱାର୍ଲ୍ଡ ୨୦୨୫’ର ମୁକୁଟ ପିନ୍ଧିବା ସମୟରେ ସୁଚାତା ମଞ୍ଚ ଉପରେ ଭାବପ୍ରବଣ ହୋଇ ପଡ଼ିଥିଲେ । ସେ ଏକ ସିଲଭର୍ ବଡି ଫିଟେଡ୍ ଗାଉନ୍ ପିନ୍ଧିଥିବା ନଜର ଆସିଥିଲେ, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ସୁଚାତା ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ହାତ ଯୋଡିଥିଲେ ।
ସୁଚାତାଙ୍କ ଜନ୍ମ ୨୦ ସେପ୍ଟେମ୍ବର ୨୦୦୩ରେ ଥାଇଲାଣ୍ଡରେ ହୋଇଥିଲା । ସେ ‘ମିସ୍ ୟୁନିଭର୍ସ ୨୦୨୪’ରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ଥାଇଲାଣ୍ଡର ପ୍ରତିନିଧିତ୍ୱ କରିଥିଲେ । ସେତେବେଳେ ସେ ତୃତୀୟ ରନର୍ସଅପ ହୋଇଥିଲେ । ସେ କାଜୋନକିଏତ୍ସୁକ୍ସା ସ୍କୁଲରୁ ନିଜର ପାଠ ପଢ଼ା ସମାପ୍ତ କରିଛନ୍ତି ଏବଂ ପଲିଟିକ୍ସ ଏବଂ ଇଣ୍ଟରନ୍ୟାସନାଲ ରିଲେସନ୍ସରେ ଡିଗ୍ରୀ ହାସଲ କରିଛନ୍ତି । ସୁଚାତାଙ୍କ ନାମରେ ମିସ୍ ଥାଇଲାଣ୍ଡ ଟାଇଟଲ ମଧ୍ୟ ରହିଛି । ଥାଇଲାଣ୍ଡର ପ୍ରଥମ ମହିଳା ଭାବେ ସୁଚାତା ଚୁଆଙ୍ଗଶ୍ରୀ ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି ।