ମହଙ୍ଗା ପଡିଲା ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ କରିବା, ଗିରଫ ହେଲେ ନର୍ସିଂ ଅଫିସର୍‌

ଭୁବନେଶ୍ଵର: AIIMSରେ ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ ଘଟଣା । ଗିରଫ ହେଲେ ଅଭିଯୁକ୍ତ ନର୍ସିଂ ଅଫିସର୍‌ ନାନୁ ରାମ ଚୌଧୁରୀ । ଅଭିଯୁକ୍ତକୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । ଗତକାଲି ନାନୁ ରାମ ଚୌଧୁରୀଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ ଆଟେଣ୍ଡାଣ୍ଟ ।

ସୂଚନା ଅନୁସାରେ, ପୀଡିତା ଜଣଙ୍କ ହେଉଛନ୍ତି AIIMSର ଜଣେ ନର୍ସିଂ ଷ୍ଟାଫ୍ । ଗତ ୨୭ ତାରିଖରେ ସେ କାର୍ଯ୍ୟରେ ଥିବା ସମୟରେ ତାଙ୍କୁ ନର୍ସିଂ ଅଫିସର ନାନୁ ରାମ ଚୌଧୁରୀ ଡାକ୍ତରଙ୍କ ରୁମକୁ ଡକାଇ ଅଶାଳୀନ ବ୍ୟବହାର କରିବା ସହ ତାଙ୍କୁ ଅଶ୍ଳିଳ ଇଙ୍ଗିତ କରିଥିଲେ । ପରେ ନର୍ସିଂ ଷ୍ଟାଫ୍ ସେଠାରୁ ପଳାଇ ଆସି ସୁପରଭାଇଜରଙ୍କୁ ଜଣାଇଥିଲେ । କିନ୍ତୁ ଅସଦାଚରଣ କରିଥିବା ନର୍ସିଂ ଅଫିସରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ପରେ ପୀଡିତା ଜଣଙ୍କ ଏନେଇ AIIMS କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ମାତ୍ରା କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ଶେଷରେ ନର୍ସିଂ ଷ୍ଟାଫ୍ ଜଣଙ୍କ ଗତକାଲି AIIMS ଗେଟ୍ ସାମ୍ନାକୁ ବସି ଧାରଣା ଦେଇଥିଲେ‌ । ଏନେଇ ନର୍ସିଂ ଷ୍ଟାଫ୍ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ସମ୍ପୃକ୍ତ ନର୍ସିଂ ଅଫିସରଙ୍କ ବିରୋଧରେ କେସ ନମ୍ବର ୫୧୪ /୨୫ରେ ମାମଲା ରୁଜୁ ସହ ବିଏନସ ଧାରା ୭୪ ଅଶ୍ଳୀଳ ଭାବେ ଛୁଇଁବା, ୭୫ ଅସଦାଚରଣ ଭଳି ଆଚରଣ କରିବା, ଧାରା ୭୯ ଅଶ୍ଳୀଳ ଇଙ୍ଗିତ କରିବା ଭଳି ଅପରାଧରେ ମାମଲା ରୁଜୁ କରି ତଦନ୍ତ କରୁଛି ।