ବେଙ୍ଗାଲୁରୁ-: ଶୁକ୍ରବାର ଅପରାହ୍ନରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର (KIA) ରେ ଏକ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଏଜେନ୍ସି ଦ୍ୱାରା ପରିଚାଳିତ ଏକ ମିନି ବସ୍ ଏକ ସ୍ଥିର ଇଣ୍ଡିଗୋ ବିମାନ ସହିତ ଧକ୍କା ହୋଇଥିଲା । ସୌଭାଗ୍ୟବଶତଃ, ଏହି ଘଟଣାରେ କୌଣସି ଆହତ ହୋଇନଥିବା ବେଳେ ମିନି ବସର ଛାତ କ୍ଷତିଗ୍ରସ୍ତ ହୋଇଛି । ବିମାନବନ୍ଦରରେ ସୁରକ୍ଷା ଅବହେଳା ଯୋଗୁଁ ଏପରି ଘଟଣା ସାମ୍ନାକୁ ଆସିଛି ।
ସୂଚନାନୁଯାୟୀ, ୧୮ ଏପ୍ରିଲ ପ୍ରାୟ ୧୨.୧୫ ମିନିଟ୍ ସମୟରେ ପାର୍କିଂରେ ଇଣ୍ଡିଗୋ ବିମାନସହ ମିନି ବସ୍ ଧକ୍କା ହୋଇଥିଲା । ବିମାନଟି ପାର୍କିଂରେ ଥିବାବେଳେ ବସ୍ ଆସି ଧକ୍କା ଦେଇଥିଲା । ଏୟାର ପୋର୍ଟର କର୍ତ୍ତୁପକ୍ଷଙ୍କ ଅଧିକାରୀ କହିଛନ୍ତି ବିମାନଟି କେମ୍ପେଗୌଡା ରନୱେରେ ଠିଆ ହୋଇଥିବା ସମୟରେ ମିନି ବସଟି ବିମାନର ଅଣ୍ଡରକ୍ୟାରେଜକୁ ଧକ୍କା ଦେଇଥିଲା । ଫଳରେ ବସଟିର ଛାତ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଏହା ମଧ୍ୟ କୁହାଯାଇଛି ଯେ, ସମ୍ବନ୍ଧୀୟ ପକ୍ଷ ସହିତ ସମନ୍ବୟ ରଖି ସମସ୍ତ ଆବଶ୍ୟକୀୟ ପ୍ରୋଟୋକଲ ତୁରନ୍ତ କାର୍ଯ୍ୟକାରୀ କରାଯାଇଥିଲା । ଏହା ସହିତ ଯାତ୍ରୀ ଏବଂ ବିମାନବନ୍ଦର କର୍ମଚାରୀଙ୍କ ସୁରକ୍ଷା ଆମର ସର୍ବପ୍ରଥମ ପ୍ରଥମିକତା । ବର୍ତ୍ତମାନ ଏହି ମାମଲାର ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି, ଆବଶ୍ୟକ ଅନୁଯାୟୀ ଏହି ମାମଲାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।