ମୁମ୍ବାଇ: ମୁମ୍ବାଇ ହିଟ୍ -ଆଣ୍ଡ- ରନ୍ ମାମଲାର ଅଭିଯୁକ୍ତ ମିହିର ଶାହାଙ୍କୁ ଗିରଫ କଲା ପୁଲିସ। ଦୁର୍ଘଟଣାର ୭୨ଘଣ୍ଟା ପରେ ଗିରଫ ହେଲେ ମିହିର। ଦୁର୍ଘଟଣା ପରଠାରୁ ସେ ଫେରାର ଥିଲେ। ୨୪ବର୍ଷିୟ ମିହିର ଶାହା ରବିବାରଠାରୁ ଫେରାର ଥିଲେ। ମିହିର ଚଳାଉଥିବା ବିଏମଡବ୍ଲୁ ୪୫ବର୍ଷ ବୟସ୍କା ମହିଳା କାବେରୀଙ୍କୁ ଧକ୍କା ଦେବା ପରେ ତାଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ପରେ ଅଭିଯୁକ୍ତ ମିହିର ଫେରାର ହୋଇଯାଇଥିବା ବେଳେ ସେ ଶିବସେନା ନେତା ରାଜେଶ ଶାହଙ୍କ ପୁଅ ହୋଇଥିବାରୁ ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା। ଗିରଫ ହେବା ପରେ ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା। ପୁଲିସ ମିହିରଙ୍କୁ କୋର୍ଟରେ ହାଜର କରି ତାଙ୍କର କଷ୍ଟଡି ମାଗିଥିଲା। ଏବେ ପୁଲିସର ଆବେଦନ ଗ୍ରହଣ କରି କୋର୍ଟ ମିହିରଙ୍କୁ ଜୁଲାଇ ୧୬ପର୍ଯ୍ୟନ୍ତ ପୁଲିସ କଷ୍ଟଡିକୁ ପଠାଇଛନ୍ତି।
କଷ୍ଟଡି ପାଇଁ ଆବେଦନ କରି ପୁଲିସ କହିଥିଲା ଯେ, ଅଭିଯୁକ୍ତ ମିହିର୍ ଅପରାଧ କରିବା ପରେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ, କିଏ ତାଙ୍କୁ ଖସିଯିବାକୁ ସାହାଯ୍ୟ କରିଥିଲା ଏବଂ ଡ୍ରାଇଭିଂ ଲାଇସେନ୍ସ ଓ ଗାଡିର ମାଲିକାନା ସମ୍ବନ୍ଧୀୟ ବିବରଣୀ ଯାଞ୍ଚ କରିବାର ଆବଶ୍ୟକତା ରହିଛି। ଏସବୁ ପାଇଁ ସମୟ ଲାଗିବ। ତେଣୁ ଆମକୁ ଅଧିକ ସମୟର ଆବଶ୍ୟକତା ରହିଛି। ପୁଲିସର ପକ୍ଷ ଶୁଣିବା ପରେ କୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରିଥିବା ଜଣାଯାଇଛି।
ଅନ୍ୟପକ୍ଷରେ ପୁଅ ମିହିର୍ ଶାହ ପାଇଁ ପଦବୀ ହରାଇଛନ୍ତି ଶିବସେନା ନେତା ରାଜେଶ ଶାହ। ସୂଚନା ମୁତାବକ, ରାଜେଶ ଶାହ ପାଲଘରର ଉପନେତା ଥିଲେ। ପୁଅ ଫେରାର ଥିବାରୁ ପୁଲିସ ପ୍ରଥମେ ରାଜେଶ ଶାହଙ୍କୁ ଗିରଫ କରିଥିଲା। ସୋମବାର କୋର୍ଟ ତାଙ୍କୁ ୧୪ଦିନିଆ ପୁଲିସ କଷ୍ଟଡିକୁ ପଠାଇଥିବା ବେଳେ ପରେ ତାଙ୍କୁ ଜାମିନ ମିଳିଥିଲା।