ମଧ୍ୟପ୍ରାଚ୍ୟ ସଂକଟର ପ୍ରଭାବ, ଭାରତରେ ମଦ ଓ ବିୟର ଦାମ ବୃଦ୍ଧିର ଆଶଙ୍କା

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଚାଲୁଥିବା ଯୁଦ୍ଧ ପରିସ୍ଥିତି ଭାରତର ତୈଳ ଓ ଗ୍ୟାସ୍ ଆମଦାନୀ ଉପରେ ଗଭୀର ପ୍ରଭାବ ପକାଇଛି। ଏହାର ପରିଣାମ ସ୍ୱରୂପ ଦେଶରେ ଖାଉଟି ଠାରୁ ଆରମ୍ଭ କରି ଶିଳ୍ପକ୍ଷେତ୍ର ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ଦେଖାଦେଇଛି। ବିଶେଷକରି ଗ୍ୟାସ୍ ଓ ପେଟ୍ରୋଲିୟମ ଉପରେ ନିର୍ଭରଶୀଳ ଶିଳ୍ପଗୁଡ଼ିକ ଏହି ସଂକଟରେ ଅଧିକ ପ୍ରଭାବିତ ହୋଇଛନ୍ତି। ହୋଟେଲ୍ ଓ ରେଷ୍ଟୁରାଣ୍ଟ୍ ଶିଳ୍ପ ସହିତ ମଦ ଓ ବିୟର ଉତ୍ପାଦନ କ୍ଷେତ୍ର ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହୋଇଛି। ଗ୍ୟାସ୍ ଅଭାବ ଯୋଗୁଁ କାଚ ବୋତଲ ଏବଂ କ୍ୟାନ୍ ଉତ୍ପାଦନ କମିଯାଇଥିବାରୁ ବଜାରରେ ଯୋଗାଣ ହ୍ରାସ ପାଇଛି। ଏହାର ପ୍ରଭାବରେ ମଦ ଓ ବିୟର ମୂଲ୍ୟ ବୃଦ୍ଧି ପାଇବାକୁ ଆଶଙ୍କା କରାଯାଉଛି। କ୍ୟାନ୍ ତିଆରି ପାଇଁ ଆବଶ୍ୟକ ଆଲମିନିୟମ ବିଦେଶରୁ ଆମଦାନୀ କରିବାରେ ଅସୁବିଧା ହେଉଥିବାରୁ ବିୟର ଉତ୍ପାଦନ ମଧ୍ୟ ପ୍ରଭାବିତ ହେଉଛି। ଏହି ପରିସ୍ଥିତିରେ ବ୍ରିୟୁର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ସୂଚନା ଦେଇଛି ଯେ, ଆଗାମୀ ଦିନରେ ମଦ ଓ ବିୟର ଦାମ ବୃଦ୍ଧି ହେବା ସମ୍ଭାବନା ଅଧିକ।

ସୂଚନା ଅନୁଯାୟୀ, ଭାରତର ମୋଟ ଗ୍ୟାସ୍ ଚାହିଦାର ଏକ ବଡ଼ ଅଂଶ ବିଦେଶରୁ, ବିଶେଷକରି କତାରରୁ ଆମଦାନୀ କରାଯାଏ। ବର୍ତ୍ତମାନ ଆମଦାନୀ ବାଧାପ୍ରାପ୍ତ ହେବାରୁ କାଚ ବୋତଲ ଉତ୍ପାଦନ ହ୍ରାସ ପାଇଛି ଏବଂ ବୋତଲ ମୂଲ୍ୟ ପ୍ରାୟ ୨୦ ପ୍ରତିଶତ ବଢ଼ିଛି। ଏହାର ପରିଣାମରେ ମଦ ମୂଲ୍ୟ ମଧ୍ୟ ୧୨ ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଉତ୍ପାଦନ ଓ ପରିଚାଳନା ଖର୍ଚ୍ଚ ବଢ଼ିଥିବାରୁ ଦାମ ବୃଦ୍ଧି ଅନିବାର୍ୟ ହୋଇପଡ଼ିଛି ବୋଲି ଶିଳ୍ପ ସମ୍ପୃକ୍ତ ବିଶେଷଜ୍ଞମାନେ କହିଛନ୍ତି।