ମେଟା : ୧୩ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯିବ

Meta: Thirteen percent of employees will be laid off

ନୂଆଦିଲ୍ଲୀ : ଟେକ୍ନୋଲୋଜୀ କମ୍ପାନିମାନଙ୍କ ଉପରେ ବିଶ୍ବରେ ମାନ୍ଦାବସ୍ଥାର ପ୍ରଭାବ ପଡ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ବ ପ୍ରମୁଖ ଟେକ୍ନୋଲୋଜୀ କମ୍ପାନିମାନେ ଛଟେଇ କରିବା ଆରମ୍ଭ କରିଛନ୍ତି । ସୋସିଆଲ ମିଡିଆ କମ୍ପାନି ଟ୍ବିଟର ପକ୍ଷରୁ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରାଯିବା ପରେ ଏବେ ମେଟା ପକ୍ଷରୁ ବଡ଼ ଧରଣର ଛଟେଇ ଯୋଜନା ସଂପର୍କରେ ଘୋଷଣା କରାଯାଇଛି । ଏ ନେଇ କମ୍ପାନିର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ସ୍ପଷ୍ଟଭାବେ ଘୋଷଣା କରିଛନ୍ତି । ଏପରିକି ମେଟା ପକ୍ଷରୁ ଯେଉଁ ସଂଖ୍ୟାରେ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନିଆଯାଇଛି, ତାହାକୁ ଟେକ୍ନୋଲୋଜୀ ଶିଳ୍ପରେ ଏକ ବୃହତ୍ତମ ଛଟେଇ ଭାବେ ଦେଖାଯାଉଛି ।

ଏହି ଯୋଜନା ଅନୁସାରେ ସାରା ବିଶ୍ବରେ ଥିବା ମେଟାର ୧୩ ପ୍ରତିଶତ ବା ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ । ମେଟାର ମାନବ ସମ୍ବଳ ମୁଖ୍ୟ ଲୋରି ଗୋଲର କହିଛନ୍ତି ଯେ ଯେଉଁ କର୍ମଚାରୀମାନଙ୍କୁ ଛଟେଇ କରାଯିବ ସେମାନଙ୍କୁ ୪ ମାସର ଦରମା ଦିଆଯିବ । ମେଟାରେ ଏବେ ମୋଟ ପ୍ରାୟ ୮୭ ହଜାର କର୍ମଚାରୀ କାମ କରୁଛନ୍ତି । ଗତ ସପ୍ତାହରେ ସାରା ବିଶ୍ବରେ ଥିବା ନିଜର କର୍ମଚାରୀମାନଙ୍କୁ ଛଟେଇ କରିଥିଲା ଟ୍ବିଟର । ଭାରତରେ ଟ୍ବିଟରର ୯୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା ।