ସରିଲା ମାଟ୍ରିକ୍ ପରୀକ୍ଷା, ମେ’ରେ ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର: ରାଜ୍ୟର ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ସୂଚନା। ଆସନ୍ତା ମେ’ ମାସର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷାର ଫଳାଫଳ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ଫଳାଫଳ ପ୍ରକାଶ ପାଇବାକୁ ନେଇ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଜୋରଦାର ଭାବେ ଚାଲିଛି। ସଭାପତିଙ୍କ କହିବା ଅନୁସାରେ, ମାଟ୍ରିକ୍ OMR ଖାତା ଦେଖା କାମ ଆରମ୍ଭ ହୋଇ ସାରିଛି। ଆସନ୍ତା ୧୯ ତାରିଖରୁ ସବଜେକ୍ଟିଭ୍ ଖାତା ମୂଲ୍ୟାଙ୍କନ ଆରମ୍ଭ ହେବ। ମୋଟ ୫୫ଟି କେନ୍ଦ୍ରରେ ଏହି ମୂଲ୍ୟାଙ୍କନ ପ୍ରକ୍ରିୟା ଚାଲିବ ଏବଂ ପ୍ରାୟ ୧୫ ହଜାର ନୀରିକ୍ଷକ ଏହି କାର୍ଯ୍ୟରେ ନିଯୁକ୍ତ ହେବେ। ସମୟମଧ୍ୟରେ ଫଳାଫଳ ପ୍ରକାଶ ପାଇବାକୁ ବୋର୍ଡ ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ ଯେ, ଫେବ୍ରୁଆରୀ ୧୯ ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିଲା ଏବଂ ମାର୍ଚ୍ଚ ୨ ତାରିଖରେ ପରୀକ୍ଷା ଶେଷ ହୋଇଥିଲା। ପ୍ରତିଦିନ ଗୋଟିଏ ସିଟିଂରେ ପରୀକ୍ଷା ଆୟୋଜିତ ହୋଇଥିଲା। ଏବର୍ଷ ପ୍ରାୟ ୫ ଲକ୍ଷ ୬୧ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ରାଜ୍ୟର ୩ ହଜାର ୮୨ଟି କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ରହିଥିଲା ଯାହା ମାଧ୍ୟମରେ ପରୀକ୍ଷା ପ୍ରକ୍ରିୟାକୁ ସୁଚାରୁ ଭାବେ ନିରୀକ୍ଷଣ କରାଯାଇଥିଲା। ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପାଇଁ ୫୦ ମିନିଟ୍ ଅତିରିକ୍ତ ସମୟ ମଧ୍ୟ ଦିଆଯାଇଥିଲା। ଏବେ ଛାତ୍ରଛାତ୍ରୀମାନେ ତାଙ୍କର ପରିଶ୍ରମର ଫଳ ଜାଣିବା ପାଇଁ ଅପେକ୍ଷାରେ ରହିଛନ୍ତି। ବୋର୍ଡ ପକ୍ଷରୁ ମେ’ ମାସରେ ନିର୍ଦ୍ଧାରିତ ସମୟରେ ଫଳ ପ୍ରକାଶ ପାଇବ ବୋଲି କୁହାଯାଇଛି।