କଟକ: ଆସନ୍ତା ୧୯ ତାରିଖରୁ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ପାଇଁ ସାରା ରାଜ୍ୟରେ ମୋଟ ୩୦୮୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି, ଯାହା ପୂର୍ବବର୍ଷ ତୁଳନାରେ ୮୦ଟି ଅଧିକ। ମାଟ୍ରିକ୍ ପରୀକ୍ଷା ପାଇଁ ମୋଟ ୫ ଲକ୍ଷ ୬୧ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ଫର୍ମ ଫିଲ୍ ଅପ୍ କରିଛନ୍ତି।ପରୀକ୍ଷା ଗୋଟିଏ ସିଟିଂରେ ସକାଳ ୯ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରଶ୍ନପତ୍ର ସୁରକ୍ଷିତ ଭାବେ ରଖିବା ପାଇଁ ୩୨୨ଟି ନୋଡାଲ୍ ସେଣ୍ଟର କରାଯାଇଛି। ଆସନ୍ତାକାଲିଠାରୁ ବୋର୍ଡ କାର୍ଯ୍ୟାଳୟରୁ ନୋଡାଲ୍ ସେଣ୍ଟରଗୁଡ଼ିକୁ ପ୍ରଶ୍ନପତ୍ର ପଠାଯିବା ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, କୋରାପୁଟ, କଳାହାଣ୍ଡି, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାକୁ ପ୍ରଶ୍ନପତ୍ର ପଠାଯିବ।

କନ୍ଧମାଳ ଓ ମାଲକାନଗିରି ଭଳି ମାଓ ପ୍ରଭାବିତ ଜିଲ୍ଲାରେ ୧୭ଟି ଥାନା ଅଞ୍ଚଳରେ ନୋଡାଲ୍ ସେଣ୍ଟର କରାଯାଇଛି। ସମସ୍ତ ନୋଡାଲ୍ ସେଣ୍ଟରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ଲାଇଭ୍ ସିସିଟିଭି କ୍ୟାମେରା ଲଗାଯାଇଛି, ଯାହାକୁ ସିଧାସଳଖ ବୋର୍ଡ କାର୍ଯ୍ୟାଳୟରୁ ନିୟନ୍ତ୍ରଣ କରାଯିବ। ୧୭ ତାରିଖ ସୁଦ୍ଧା ସମସ୍ତ ପ୍ରଶ୍ନପତ୍ର ନୋଡାଲ୍ ସେଣ୍ଟରରେ ପହଞ୍ଚିବ। ପରୀକ୍ଷା ଦିନ ସକାଳେ ନୋଡାଲ୍ ସେଣ୍ଟରରୁ ସିଧା ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ। ସେହିପରି କପି ରୋକିବା ପାଇଁ ପ୍ରତ୍ୟେକ ପ୍ରଶ୍ନପତ୍ର ଓ ଉତ୍ତର ଖାତାରେ ୱାଟରମାର୍କ ଏବଂ କ୍ୟୁଆର୍ କୋଡ୍ ରଖାଯାଇଛି। ଯଦି କୌଣସି ଲିକ୍ ଘଟେ, ତେବେ ସେହି ପ୍ରଶ୍ନପତ୍ର କେଉଁ ପରୀକ୍ଷାର୍ଥୀଙ୍କ ସହିତ ସମ୍ପୃକ୍ତ, ତାହା ସହଜରେ ଚିହ୍ନଟ ହୋଇପାରିବ। ବୋର୍ଡ ସଭାପତି ପରୀକ୍ଷାର୍ଥୀମାନଙ୍କୁ ଚିନ୍ତାମୁକ୍ତ ହୋଇ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି ଏବଂ କୌଣସି ଅଫବାରେ ଭରସା ନ କରିବାକୁ ଅନୁରୋଧ କରିଛନ୍ତି।