ନୂଆଦିଲ୍ଲୀ(ରିପୋର୍ଟସ ଟୁଡେ) : ୧୯୨୯ ମସିହାରୁ ଭାରତରେ ବାଲ୍ୟ ବିବାହକୁ ଅସିଦ୍ଧ ଘୋଷଣା କରାଯାଇଛି । କମ୍ ବୟସର ପୁଅ କିମ୍ବା ଝିଅଙ୍କର ଶାରୀରିକ ଓ ମାନସିକ ବୃଦ୍ଧି ଘଟି ନଥିବାରୁ ସେମାନଙ୍କ ବିବାହକୁ ବାରଣ କରାଯାଇଥାଏ । କିନ୍ତୁ ରାଜସ୍ଥାନ ସରକାର ୧୭ ସେପ୍ଟେମ୍ବରରେ ବାଧ୍ୟତାମୂଳକ ବିବାହ ପଞ୍ଜିକରଣ ବିଲ ୨୦୨୧ ବାଚନକ ଭୋଟରେ ଗୃହିତ କରାଯାଇଛି । ଏଥିରେ ସ୍ପଷ୍ଟ କୁହାଯାଇଛି ଯେ , ୨୧ ବର୍ଷ ବୟସରୁ କମ୍ ଜଣେ ବର ଓ ୧୮ ବର୍ଷରୁ କମ୍ କନ୍ୟାଙ୍କ ବିବାହର ୩୦ ଦିନ ମଧ୍ୟରେ ମାତାପିତା କିମ୍ବା ଅଭିଭାବକ ବିବାହ ପଞ୍ଜିକରଣ କରାଇପାରିବେ । ଯାହା ଦ୍ୱାରା ରାଜସ୍ଥାନ ସରକାର ଖୋଲାଖୋଲି ବାଲ୍ୟ ବିବାହକୁ ମୋହର ଦେଇଛନ୍ତି ।
ସମଗ୍ର ଦେଶରେ ଏହି ଆଇନ ଉଲଘଂନକାରୀଙ୍କ ପାଇଁ ଦୁଇ ବର୍ଷ ଯାଏ ଜେଲଦଣ୍ଡ ଓ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି । ଏଭଳି ପରିପ୍ରେକ୍ଷୀରେ ରାଜସ୍ଥାନ ସରକାର ବିବାହ ପଞ୍ଜିକରଣ ସଂଶୋଧନ ବିଲ କୁ ଗୃହିତ କରାଇବା ଦ୍ୱାରା ବାଲ୍ୟ ବିବାହ ଆଇନସିଦ୍ଧ ହେବା ସହ ବାଲ୍ୟବିବାହର ସଂଖ୍ୟା ବଢାଇବାରେ ସହାୟକ ହେବ ।