ଚତୁର୍ଥ ଥର ପାଇଁ ବିଜେପି ରାଜ୍ୟ ସଭାପତି ହେଲେ ମନମୋହନ ସାମଲ

ଭୁବନେଶ୍ଵର: ଚତୁର୍ଥ ଥର ପାଇଁ ବିଜେପି ରାଜ୍ୟ ସଭାପତି ଭାବେ ନିର୍ବାଚିତ ହେଲେ ମନମୋହନ ସାମଲ । ସର୍ବ ସହମତିରେ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହେଲେ ମନମୋହନ । ବିଜେପି ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ବାଲ । ଗତକାଲି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ମନମୋହନ । ଯେଉଁଥିରୁ ଏହା ନିଶ୍ଚିତ ଥିଲା ଯେ ସେ ହିଁ ରାଜ୍ୟ ବିଜେପି ସଭାପତି ଭାବେ ନିର୍ବାଚିତ ହେବେ । ଲଗାତର ଦ୍ବିତୀୟ ଏବଂ ମୋଟ୍ ଚତୁର୍ଥ ଥର ପାଇଁ ନିର୍ଦ୍ବନ୍ଦ୍ବରେ ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ମନମୋହନ।

ସେପଟେ ମନମୋହନଙ୍କୁ ସଭାପତି ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ସମ୍ବିତ୍ ପାତ୍ର । ରାଜ୍ୟରେ ଟ୍ରିପଲ୍‌ ‘M’ ସରକାର ଚାଲିଛି ବୋଲି କହିଛନ୍ତି ସାଂସଦ ସମ୍ବିତ ପାତ୍ର । “ଟ୍ରିପଲ୍ M (ମୋଦି, ମୋହନ ଓ ମନମୋହନ) ସରକାର ଚାଲିଛି । ମନମୋହନ ଦଳ ପାଇଁ ବଡ଼ ବଳିଦାନ ଦେଇଛନ୍ତି । ନିଜ ଚାନ୍ଦବାଲି ଆସନକୁ ବାଜିରେ ଲଗାଇ ହାରିଲେ, ମାତ୍ର କେନ୍ଦ୍ରୀୟ ନେତୃତ୍ବ ଯେତେବେଳେ ତାଙ୍କୁ ନିଜ ଆସନ ଦେଖ କହିଲେ ସେତେବେଳେ ସେ ମୋ ପାଇଁ ମୋ ଦଳ ବଡ଼ ବୋଲି କହିଥିଲେ” ବୋଲି କହିଛନ୍ତି ସମ୍ବିତ ପାତ୍ର ।

ଅନ୍ୟପଟେ ସଭାପତି ହେବା ପରେ ମନମୋହନଙ୍କୁ ପ୍ରଶଂସାରେ ପୋତିଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୨୪ରେ ମନମୋହନ ଭାଇଙ୍କ ପାଇଁ ରାଜ୍ୟରେ ସରକାର ହୋଇଛି । ବିଜେପି ଏକାକୀ ସରକାର ଗଠନ କରିବା ସମ୍ଭବ ହୋଇପାରିଛି । ୨୧ରୁ ୨୦ ସାଂସଦ ଜିତିବା ମନମୋହନ ଭାଇଙ୍କ ନେତୃତ୍ବ ପାଇଁ ହୋଇଛି । ଓଡ଼ିଶା ଆଜି କେନ୍ଦ୍ରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ABVP କର୍ମକର୍ତ୍ତାରୁ ବିଧାୟକ, ମନ୍ତ୍ରୀ, ସାଂସଦ, ଚତୁର୍ଥ ଥର ପାଇଁ ସଭାପତି ହୋଇଛନ୍ତି ମନମୋହନ। ଦିନେ ଯେ ପୋଷ୍ଟର ମାରୁଥିଲେ, ନିଜ ଅଧ୍ୟବସାୟ ବଳରେ ସେ ଆଜି ରାଜ୍ୟ ସଭାପତି। ଏଥିସହ ସେ ୪ ଥର ଏହି ପଦରେ ବସିଛନ୍ତି ବୋଲି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ମନମୋହନ ସାମଲଙ୍କ ପାଇଁ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଛି। ତାଙ୍କ ପାଇଁ ଡବଲ ଇଞ୍ଜିନ ସରକାର ସମ୍ଭବ ହୋଇପାରିଛି। ତାଙ୍କ ନେତୃତ୍ବରେ ଦଳ ଆହୁରି ଆଗକୁ ବଢ଼ିବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ତେବେ ସଭାପତି ହେବା ପରେ ‘ରାଜ୍ୟରେ ବିଜେପି ସରକାର ଲମ୍ବା ସମୟ ଧରି ରହିବ। ଆମ ପାଖରେ ଯୋଗ୍ୟ ମୁଖ୍ୟମନ୍ତ୍ରୀ, ଯୋଗ୍ୟ କର୍ମକର୍ତ୍ତା ଅଛନ୍ତି । ସଙ୍ଗଠନକୁ ଶକ୍ତିଶାଳୀ କରିବା, ଆମକୁ କେହି ଛୁଇଁ ପାରିବେନି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।