ଅସୁସ୍ଥ ପତ୍ନୀଙ୍କୁ ଭେଟିଲେ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ପତ୍ନୀଙ୍କୁ ଭେଟିଲେ ମନୀଷ ସିସୋଦିଆ । ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍ ତଥା ଏଏପି ନେତା ମନୀଷ ସିସୋଦିଆଙ୍କୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ନଭେମ୍ବର ୧୧ରେ ପତ୍ନୀଙ୍କୁ ଭେଟିବା ପାଇଁ କୋର୍ଟ ତାଙ୍କୁ ସମୟ ସୀମା ଦେଇଛନ୍ତି। ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ସିସୋଦିଆ ତାଙ୍କ ପତ୍ନୀଙ୍କ ପାଖରେ ରହିପାରିବେ। ଏହି ସମୟ ମଧ୍ୟରେ ସେ ଗଣମାଧ୍ୟମ ସହ କୌଣସି କଥାବାର୍ତ୍ତା କରିବେ ନାହିଁ। ସୂଚନା ଅନୁଯାୟୀ, ରାଉସ୍ ଆଭେନ୍ୟୁ କୋର୍ଟ ଗଣମାଧ୍ୟମ ସହ କଥାବାର୍ତ୍ତା ନ କରିବା ଏବଂ ରାଜନୈତିକ ଅଂଶଗ୍ରହଣ ନ କରିବା ସର୍ତ୍ତରେ ସିସୋଦିଆଙ୍କୁ ସାକ୍ଷାତ ପାଇଁ ଅନୁମତି ଦେଇଛନ୍ତି। ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲ୍ରେ ଥିବା ଆପ୍ ନେତା ମନୀଷ ସିସୋଦିଆ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ଭେଟିବାକୁ କୋର୍ଟରେ ଆବେଦନ କରିଥିଲେ। ସେ ପାଞ୍ଚ ଦିନର ସମୟ ମାଗିଥିଲେ। କିନ୍ତୁ କୋର୍ଟ ତାଙ୍କୁ ମାତ୍ର ୬ ଘଣ୍ଟା ସମୟ ଦେଇଛନ୍ତି। ୨୦୨୩ ଫେବୃଆରୀ ୨୬ରେ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା।