ନୂଆଦିଲ୍ଲୀ: ଜୁଆ ଖେଳରୁ ଗଲା ଜୀବନ । ପୁଲିସ ଭୟରେ ନଦୀକୁ ଡେଇଁ ଜୀବନ ଶେଷରେ ଜୀବନ ହାରିଲା ଯୁବକ । ରାଏବରେଲି କୋତବାଲି ଅଞ୍ଚଳସ୍ଥ ଚକୱାପୁର ଗ୍ରାମରେ ଗତରବିବାର ସନ୍ଧ୍ୟାରେ ଜୁଆ ଖେଳାଯାଉଥିବା ଏକ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରିଥିଲା। ପୁଲିସର ଚଢ଼ାଉ ଦେଖି ଜୁଆ ଖେଳୁଥିବା ଯୁବକମାନେ ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ।ଏହି ସମୟରେ ଜଣେ ଯୁବକ ପୁଲିସର ଭୟରେ ନିକଟସ୍ଥ ଏକ ଗଛରେ ଚଢ଼ି ଯାଇଥିଲେ। ଏହାପରେ ପୁଲିସ ତାଙ୍କୁ ଯେମିତି ଧରି ନପାରେ ସେଥିପାଇଁ ସେ ନଦୀକୁ ଡେଇଁ ପଡ଼ିଥିଲେ।
ଏହି ଘଟଣା ସମ୍ପର୍କରେ ଖବର ପାଇ ଗ୍ରାମବାସୀ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ନଦୀ ନିକଟରେ ଭିଡ଼ କରିଥିଲେ। ତେବେ ନଦୀରେ ପାଣିର ସ୍ରୋତ ଅଧିକ ଥିବାରୁ ଯୁବକ ଜଣକ ବୁଡ଼ି ଯାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ସୂଚନା ମିଳିଛି। ଅନେକ ଚେଷ୍ଟାପରେ ଯାଇ ଯୁବକଙ୍କ ମୃତଦେହକୁ ନଦୀରୁ ଉଦ୍ଧାର କରାଯାଇଥିଲା। ମୃତ ଯୁବକଙ୍କ ନାମ ଅମରେଶ ସିଂହ ଓରଫ ଗୁଡ଼ୁ ବୟସ ୩୮ବର୍ଷ ବୋଲି ଜଣାପଡ଼ିଛି।
ଏହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ଗ୍ରାମବାସୀ ପୁଲିସ ବିରୋଧରେ ଅଭିଯୋଗ କରି କହିଛନ୍ତି କି, ଯେତେବେଳେ ଅମରେଶ ସିଂହ ନଦୀକୁ ଡେଇଁ ପଡ଼ିଥିଲେ। ତାଙ୍କୁ ଉଦ୍ଧାର ପାଇଁ କିଛି ଲୋକ ନଦୀ ନିକଟକୁ ଧାଇଁ ଯାଇଥିଲେ କିନ୍ତୁ ପୁଲିସ ସେମାନଙ୍କୁ ଧମକ ଦେଇ କହିଥିଲା କି କେହି ତାଙ୍କୁ ବଞ୍ଚାଇ ପାରିବ ନାହିଁ। ତାଙ୍କୁ ସେହି ଅବସ୍ଥାରେ ଛାଡ଼ି ଦିଅ। ଶେଷରେ ନଦୀରେ ବୁଡ଼ି ଅମରେଶଙ୍କ ମୃତ୍ୟୁ ହୋଇଯାଇଥିଲା।