ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଏକ ‘ଆମ ବସ୍’ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ରବିବାର ଅପରାହ୍ନରେ ପଟିଆ ଛକ ନିକଟରେ ଥିବା ଆମ ବସ୍ ଡିପୋରେ ଚାର୍ଜିଂ ହେଉଥିବା ସମୟରେ ଏକ ଇଲେକ୍ଟ୍ରିକ୍ (EV) ବସରେ ହଠାତ୍ ନିଆଁ ଲାଗିଯାଇଥିଲା। ଲଗାତାର ଦୁଇ ଦିନରେ ଦୁଇଟି ବସ୍ରେ ଅଗ୍ନିକାଣ୍ଡ ଘଟଣା ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ରବିବାର ଅପରାହ୍ନ ସମୟରେ ଏକ ଇଲେକ୍ଟ୍ରିକ୍ ବସ୍ ଚାର୍ଜ ହେଉଥିବା ବେଳେ ଏଥିରୁ ଧୂଆଁ ବାହାରିଥିଲା ଏବଂ ପରେ ନିଆଁ ଲାଗିଯାଇଥିଲା। ଖବର ପାଇ ୨ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଡିପୋ ଭିତରେ ବସ୍ ଥିବାରୁ କୌଣସି ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇନାହାନ୍ତି। ବ୍ୟାଟେରୀରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି।