ମହାରାଷ୍ଟ୍ର ମନ୍ତ୍ରୀ ନଓ୍ଵାବ ମଲିକ ଗିରଫ

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପି ନେତା ନଓ୍ଵାବ ମଲିକ ଗିରଫ। ମନି ଲଣ୍ଡ୍ରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି। ଆଜି ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍‌ ନିଜ ଅଫିସକୁ ନେଇଥିଲା। ଇଡିର ଟିମ୍‌ ଭୋର ୫ଟା ବେଳେ ନଓ୍ଵାବ୍‌ ମଲିକଙ୍କ ଘରେ ପହଞ୍ଚି ତାଙ୍କୁ ଇଡି ଅଫିସକୁ ନେଇଥିଲା। ଇଡି ତାଙ୍କୁ ଅଣ୍ଡର ଓ୍ଵାର୍ଲ୍ଡ ସହ ସମ୍ପର୍କ ବିଷୟରେ ପଚରା ଉଚରା କରିଥିଲା। ଅଣ୍ଡର ଓ୍ଵାର୍ଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ଦେଶରେ ଆତଙ୍କ ସୃଷ୍ଟି କରିବାକୁ ଯୋଜନା କରୁଥିବା ନେଇ ନିକଟରେ ଏନ୍‌ଆଇଏକୁ ଖବର ମିଳିଛି। ଦାଉଦ୍‌ ଦେଶର ପ୍ରମୁଖ ସହର ସମେତ ବଡ଼ ବଡ଼ ନେତାଙ୍କୁ ଟାର୍ଗେଟ କରୁଥିବା ନେଇ ଗୁଇନ୍ଦା ବିଭାଗ ପାଖରେ ସୂଚନା ପହଞ୍ଚିଛି। ଫଳରେ ଏନ୍‌ଆଇଏ ପକ୍ଷରୁ ଦାଉଦ୍‌ ଓ ତା’ ନିକଟତର ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏତେ ବଡ଼ ପ୍ଲାନିଂ ଥିବାରୁ ଏଥିରେ ଟଙ୍କା କାରବାର ବି ହୋଇଥିବ। ଏଣୁ ଇଡି ବି ଏବେ ଏହି ମାମଲାର ତଦନ୍ତ କରୁଛି। ଏନେଇ ପଚରାଉଚରା ପରେ ଇଡି ନଓ୍ଵାବ ମଲିକଙ୍କୁ ଗିରଫ କରିଛି।