୧୧ ହଜାର ଲାଉଡସ୍ପିକର ହଟାଇଲେ ଯୋଗୀ ସରକାର

ଉତ୍ତର ପ୍ରଦେଶର ସମସ୍ତ ଧାର୍ମିକ ସ୍ଥାନରୁ ହଟିଲା ଲାଉଡସ୍ପିକର।

(ଉତ୍ତରପ୍ରଦେଶ) : ଉତ୍ତର ପ୍ରଦେଶର ସମସ୍ତ ଧାର୍ମିକ ସ୍ଥାନରୁ ହଟିଲା ଲାଉଡସ୍ପିକର। ବୁଧବାର ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ଭିନ୍ନଭିନ୍ନ ଜିଲ୍ଲାରୁ ୧୦ ହଜାର ୯୨୩ଟି ଲାଉଡସ୍ପିକର ହଟାଇ ଦିଆଯାଇଛି ବୋଲି ସ୍ୱଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ସେହିପରି ୩୫ ହଜାର ୨୨୧ଟି ଲାଉଡସ୍ପିକରକୁ ନିର୍ଦ୍ଧାରିତ ମାନକରେ ବଜାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପ୍ରିଲ ୩୦ ସୁଦ୍ଧା ରାଜ୍ୟରେ ଲାଗିଥିବା ସମସ୍ତ ବେଆଇନ ଲାଉଡସ୍ପିକର ହଟାଇବାକୁ ସରକାର କମିଶନରେଟ୍ ଓ ଜିଲ୍ଲା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ଯେ, ରାଜ୍ୟରେ କୌଣସି ଧାର୍ମାନୁଷ୍ଠାନରେ ନିର୍ଦ୍ଧାରିତ ମାନକ ଠାରୁ ଅଧିକ ଜୋର୍‌ରେ ଲାଉଡସ୍ପିକର ବଜାଯିବ ନାହିଁ। ଏହା ସହ କୌଣସି ନୂଆ ଧାର୍ମିକ ସ୍ଥଳୀରେ ଲାଉଡସ୍ପିକର ଲାଗିବ ନାହିଁ। କେବଳ ପୁରୁଣା ଧର୍ମାନୁଷ୍ଠାନ ଗୁଡିକରେ ଲାଉଡସ୍ପିକର ବାଜିବ। ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏବେ ଆକ୍ସନ ମୁଡ୍‌ରେ ପୋଲିସ ଏହି ଅଭିଯାନ ଚଳାଇଛି।