ଭୁବନେଶ୍ଵର: ପୁଣି ବଢ଼ିବ ତାପମାତ୍ର । କରିବ ଆହୁରି କଲବଲ । ତାପମାତ୍ରା ୧ରୁ ଦେଢ଼ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଦେଇଛନ୍ତି । ୩/୪ ଦିନ ପରେ ତାପମାତ୍ରା ସାମାନ୍ୟ ବଢ଼ିବା ଆଶା କରାଯାଉଛି । ସେପଟେ ବଙ୍ଗୋପସାଗର ସୃଷ୍ଟି ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି କହିଛି ପାଣିପାଗ ବିଭାଗ । ଆଗାମୀ ଚାରି ଦିନ ମଧ୍ୟରେ ସାରା ରାଜ୍ୟରେ ରାତିର ତାପମାତ୍ରା ୨ ରୁ ୪ ଡିଗ୍ରି ସେଲସିୟସ୍ ହ୍ରାସ ପାଇବ । ଏହା ସହିତ, ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ହାଡ଼ଭଙ୍ଗା ଶୀତ ଲାଗି ରହିବ।ମଙ୍ଗଳବାର ଦିନ ପ୍ରବଳ ଶୀତ ଲହରୀ ଓଡ଼ିଶାକୁ ଥରାଇ ଦେଇଛି। ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୫.୧ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି । ସେହିପରି ରାଉରକେଲାରେ ୬.୬ ଡିଗ୍ରି ସେଲସିୟସ୍, ସୁନ୍ଦରଗଡ଼ରେ ୭.୬ ଡିଗ୍ରି ସେଲସିୟସ୍ ଏବଂ ଦାରିଙ୍ଗବାଡିରେ ୭.୫ ଡିଗ୍ରି ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି ।

ଗତକାଲି(ସୋମବାର) ସନ୍ଧ୍ୟା ସାଢେ ୫ଟାରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ପୂର୍ବ ବିଷୁବରେଖା ନିକଟସ୍ଥ ଭାରତ ମହାସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ପାଣିପାଗ ବିଜ୍ଞାନ ସୂତ୍ରରୁ ଜଣାପଡିଛି ଯେ, ଏହି ଲଘୁଚାପ କ୍ଷେତ୍ରଟି ଆଗକୁ ଭଲ ଭାବେ ଚିହ୍ନିତ ହେବାର ସମ୍ଭାବନା ଅଛି ଏବଂ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ଅଛି । ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗରେ ଗତିକରି ଭାରତ ମହାସାଗର ମୁହାଁ ହେବା ସମ୍ଭାବନା ରହିଛି । ତେଣୁ ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବନି ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।