ସତ୍ୟବ୍ରତ ହତ୍ୟା ଘଟଣାର; ତ୍ରିକୋଣୀୟ ପ୍ରେମରୁ ମର୍ଡର, ସତ ଓଗାଳିଲା ଦିନେଶ 

ଭୁବନେଶ୍ୱର: ରାଜଧାନୀର ନୀଳାଦ୍ରୀ ବିହାରରେ ଘଟିଥିବା କାର ଡ୍ରାଇଭର ସତ୍ୟବ୍ରତ ପ୍ରଧାନଙ୍କ ହତ୍ୟାକାଣ୍ଡର ପରଦାଫାଶ କରିଛି କମିଶନରେଟ୍ ପୁଲିସ। ଏହି ହତ୍ୟାକାଣ୍ଡ ତ୍ରିକୋଣୀୟ ପ୍ରେମ ସମ୍ପର୍କରୁ ଘଟିଥିବା ବୋଲି ଏସିପି ସୋନାଲ ସିଂହ ପରମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମାମଲାରେ ଦିନେଶ ନାୟକଙ୍କୁ ଗିରଫ କରାଯାଇଛି।

ପୁଲିସ ସୂଚନା ଅନୁସାରେ, ସତ୍ୟବ୍ରତ ପ୍ରଧାନ ଓ ଦିନେଶ ନାୟକ ଉଭୟେ ବିବାହିତ ହୋଇଥିଲେ ମଧ୍ୟ ପାର୍ଲରରେ କାମ କରୁଥିବା ଲିଜାଙ୍କୁ ଭଲ ପାଉଥିଲେ। ପ୍ରଥମେ ଦିନେଶ ଓ ଲିଜାଙ୍କ ମଧ୍ୟରେ ପ୍ରାୟ ତିନି ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା ଏବଂ ସେମାନେ କିଛି ଦିନ ଲିଭ୍-ଇନ୍ ସମ୍ପର୍କରେ ମଧ୍ୟ ରହିଥିଲେ। କିନ୍ତୁ ପ୍ରାୟ ଦୁଇ ମାସ ହେଉଛି ଲିଜା ଦିନେଶଠାରୁ ଦୂରେଇ ରହୁଥିଲେ। ଏହି ସମୟରେ ସତ୍ୟବ୍ରତଙ୍କ ସହ ଲିଜାଙ୍କ ସମ୍ପର୍କ ଗଢ଼ିଉଠିଥିଲା। ଦିନେଶ ଏହା ଜାଣିନଥିଲେ, କିନ୍ତୁ ଲିଜାଙ୍କ ଆଉ କାହା ସହ ସମ୍ପର୍କ ଅଛି ବୋଲି ସନ୍ଦେହ କରୁଥିଲେ।

ଗତ ରବିବାର ଦିନେଶ ବାରମ୍ବାର ଫୋନ୍ ଓ ଭିଡିଓ କଲ୍ କରିଥିଲେ, କିନ୍ତୁ ଲିଜା ରିସିଭ୍ କରିନଥିଲେ। ସନ୍ଦେହ ବଢ଼ିବାରୁ ସେ ଜଗତସିଂହପୁରରୁ କାରରେ ଭୁବନେଶ୍ୱର ଆସିଥିଲେ ଏବଂ ରାତି ପ୍ରାୟ ୧ଟାରେ ଲିଜାଙ୍କ ରୁମ୍‌କୁ ପହଞ୍ଚିଥିଲେ। ସେଠାରେ ସତ୍ୟବ୍ରତଙ୍କୁ ଦେଖି ଦିନେଶ ରାଗିଯାଇଥିଲେ। ଦୁହେଁଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ବେଳେ ଦିନେଶ ଛୁରୀରେ ସତ୍ୟବ୍ରତଙ୍କ ତଣ୍ଟି ଓ ଛାତିରେ ଆକ୍ରମଣ କରିଥିଲେ। ଗୁରୁତର ଆହତ ସତ୍ୟବ୍ରତ ଘରୁ ଦୌଡ଼ି ବାହାରି ମଙ୍ଗଳା ମନ୍ଦିର ନିକଟରେ ଅଚେତ ହୋଇ ପଡ଼ିଥିଲେ। ପରେ ତାଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲେ, କିନ୍ତୁ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା।

ଘଟଣା ପରେ ଦିନେଶ ପଳାଇଯାଇଥିଲେ। ପୁଲିସ ସିସିଟିଭି ଫୁଟେଜ୍ ଓ କଲ୍ ରେକର୍ଡ ଯାଞ୍ଚ କରି ତଦନ୍ତ କରୁଥିବା ବେଳେ ଦିନେଶ ଜଗତସିଂହପୁର ସଦର ଥାନାରେ ଆତ୍ମସମର୍ପଣ କରିଥିଲେ। ପରେ କମିଶନରେଟ୍ ପୁଲିସ ତାଙ୍କୁ ଭୁବନେଶ୍ୱର ଆଣି ଗିରଫ କରିଛି। ଏସିପି ସୋନାଲ ସିଂହ ପରମାର କହିଛନ୍ତି ଯେ, ଏହା ସଂପୂର୍ଣ୍ଣ ଭାବେ ତ୍ରିକୋଣୀୟ ପ୍ରେମରୁ ଘଟିଥିବା ଘଟଣା ଏବଂ ଲିଜାଙ୍କ ହତ୍ୟାକାଣ୍ଡରେ କୌଣସି ସଂପୃକ୍ତି ନାହିଁ। ଦିନେଶ ଏହି ମାମଲାରେ ଏକମାତ୍ର ଅଭିଯୁକ୍ତ ବୋଲି ପୁଲିସ ସ୍ପଷ୍ଟ କରିଛି।

ଅଭିଯୁକ୍ତ ଦିନେଶ ନାୟକଙ୍କ ଘର ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅରିଲୋ ଗାଁରେ। ୧୦ ବର୍ଷ ପୂର୍ବରୁ ସେ ପ୍ରେମ ବିବାହ କରିଥିଲେ ଏବଂ ତାଙ୍କ ଘରେ ସ୍ତ୍ରୀ ଓ ଜଣେ ଝିଅ ଅଛନ୍ତି। ତାଙ୍କ ସ୍ତ୍ରୀ କହିଛନ୍ତି ଯେ, ଲିଜା ସହ ସମ୍ପର୍କ ଗଢ଼ିଉଠିବା ପରଠୁ ସେ ଘରକୁ ନିୟମିତ ଯାଉନଥିଲେ। ପୁଲିସ ମାମଲାର ଆଗାମୀ ତଦନ୍ତ ଜାରି ରଖିଛି।