ଭାରତୀୟ ଜୀବନ ବୀମା ନିଗମ ଗିନିଜ ବିଶ୍ଵ ରେକର୍ଡରେ ନିଜ ନାମକୁ ସାମିଲ କରିଛି

ନୂଆଦିଲ୍ଲୀ-: ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) ଗିନିଜ ବିଶ୍ଵ ରେକର୍ଡରେ ନିଜ ନାମକୁ ସାମିଲ କରିଛି। ୨୪ ଘଣ୍ଟାରେ ସର୍ବାଧିକ ପଲିସି ବିକ୍ରି କରି ଏହି ଭାରତୀୟ ସଂସ୍ଥା ଗିନିଜ ରେକର୍ଡରେ ସ୍ଥାନ ପାଇଛି। ଗତ ଜାନୁୟାରୀ ୨୦ ତାରିଖରେ ସଂସ୍ଥାର ୪ ଲକ୍ଷ ୫୨ ହଜାର ୮୩୯ ଜଣ ଏଜେଣ୍ଟ ଦେଶବ୍ୟାପୀ ମୋଟ ୫ ଲକ୍ଷ ୮୮ ହଜାର ୧୦୭ଟି ପଲିସି ସଫଳତାର ସହିତ ସମ୍ପୂର୍ଣ୍ଣ କରିଛନ୍ତି। ଯେଉଁଥିପାଇଁ ସଂସ୍ଥା ଏହି ବିରଳ ରେକର୍ଡର ଅଧିକାରୀ ହୋଇଛି ବୋଲି ଶନିବାର ଏଲଆଇସି ପକ୍ଷରୁ କୁହାଯାଇଛି।

ଏଲଆଇସି କହିଛି ଯେ ଏହି ରେକର୍ଡ ଆମର ଏଜେଣ୍ଟମାନଙ୍କର ଅକ୍ଳାନ୍ତ ପରିଶ୍ରମ, ଦକ୍ଷତା ଏବଂ ନିରନ୍ତର କାର୍ଯ୍ୟ ନୀତିର ଏକ ଶକ୍ତିଶାଳୀ ପ୍ରମାଣ। ଆହୁରି ମଧ୍ୟ କୁହାଯାଇଛି, ଏହି ସଫଳତା ଆମର ଗ୍ରାହକ ଏବଂ ସେମାନଙ୍କ ପରିବାରକୁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସୁରକ୍ଷା ପ୍ରଦାନ କରିବାର ଆମର ଲକ୍ଷ୍ୟ ପ୍ରତି ଆମର ଗଭୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଏହି ରେକର୍ଡ ପ୍ରୟାସ ଏଲଆଇସି ଏମ୍ଡି ଏବଂ ସିଇଓ ସିଦ୍ଧାର୍ଥ ମହାନ୍ତିଙ୍କ ଏକ ପଦକ୍ଷେପର ଫଳାଫଳ ଥିଲା, ଯେଉଁଥିରେ ସେ ପ୍ରତ୍ୟେକ ଏଜେଣ୍ଟଙ୍କୁ ଜାନୁଆରୀ ୨୦, ୨୦୨୫ ରେ ‘ମ୍ୟାଡ୍ ମିଲିୟନ୍ ଡେ’ରେ ଅତି କମରେ ଗୋଟିଏ ପଲିସି ସମାପ୍ତ କରିବାକୁ ନିବେଦନ କରିଥିଲେ। ଏହି ଅବସରରେ ବକ୍ତବ୍ୟ ରଖି, ମହାନ୍ତି ‘ମ୍ୟାଡ୍ ମିଲିୟନ ଡେ’କୁ ଐତିହାସିକ କରିବା ପାଇଁ ସମସ୍ତ ଗ୍ରାହକ, ଏଜେଣ୍ଟ ଏବଂ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ।