ପଞ୍ଜାବରେ ହୋଇପାରେ ବୋମା ବିସ୍ଫୋରଣ! ସାମ୍ନାକୁ ଆସିଲା ୬ଟି ଚିଠି

ପଞ୍ଜାବ : ପଞ୍ଜାବରେ ହୋଇପାରେ ବୋମା ବିସ୍ଫୋରଣ | ଏନେଇ ସାମ୍ନାକୁ ଆସିଲା ୬ଟି ଚିଠି | ତେବେ ୭ ଜୁନରେ ବୋମା ବିସ୍ଫୋରଣ ହୋଇପାରେ । ଏହି ଚିଠି ମିଳିବା ପରେ ଆକ୍ସନ ମୋଡକୁ ଆସିଛି ପଞ୍ଜାବ ପୋଲିସ । ଜିଲ୍ଲାର ବିଭିନ୍ନ ଥାନାରେ ହାଇଆଲର୍ଟ ଜାରି କରାଯାଇଛି । ଜିଲ୍ଲା ଭିତରକୁ ପ୍ରବେଶ କରୁଥିବା ପ୍ରତିଟି ଗାଡିର ଚେକିଂ ଜୋରଦାର ଚାଲିଛି | ସବୁଠୁ ବଡ଼କଥା ହେଉଛି, ଏହି ୬ଟି ଚିଠି ବିଭିନ୍ନ ରାଜନୈତିକ ନେତା, ଅଫିସର ଓ ବ୍ୟବସାୟୀଙ୍କୁ ପଠାଯାଇଛି । ଯେଉଁଥିରେ ଗୋଟିଏ ଅସଲି କପି ଥିବା ବେଳେ ବାକି ସବୁ ଜେରକ୍ସ କପି ରହିଥିଲା । ପୋଷ୍ଟମ୍ୟାନଙ୍କ ଜରିଆରେ ଏହି ୬ଟି ଚିଠି ଘରକୁ ପଠାଯାଇଥିଲା । ଏହି ଚିଠିରେ ବିସ୍ଫୋରଣ ହେବାକୁ ଥିବା ସ୍ଥାନ ଉଲ୍ଲେଖ ରହିଛି ।

ଚିଠିରେ ଜୁନ୍ ୭ରେ ୧୦ଟି ସ୍ଥାନରେ ବିସ୍ଫୋରଣ ହେବା ନେଇ ଉଲ୍ଲେଖ ରହିଛି । ଆଉ ଏଥିପାଇଁ ସବୁ ସାମଗ୍ରୀ ପହଞ୍ଚି ସାରିଥିବା ଚିଠିରେ ଲେଖା ଯାଇଛି । ଭଟିଣ୍ଡାକୁ ଏବେ କେବଳ ଭଗବାନ ହିଁ ବଞ୍ଚାଇପାରିବେ । ଯଦି କେହି ଅଟକାଇ ପାରିବେ ତ ଅଟକାଇ ଦେଖନ୍ତୁ ବୋଲି ଧମକ ମଧ୍ୟ ଦେଇଛନ୍ତି । ଏସବୁ ଭିତରେ ଏସଏସପି ଗୁରନୀତ ଖୁରାନା ଜନସାଧାରଣଙ୍କୁ ଅପିଲ୍ କରିବା ସହ କହିଛନ୍ତି, ଜିଲ୍ଲାରେ କୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ କିମ୍ବା ସନ୍ଦିଗ୍ଧ ବସ୍ତୁ ଦେଖିଲେ ତୁରନ୍ତ ପୋଲିସକୁ ସୂଚିତ କରନ୍ତୁ ।