କୋଲକାତା-: ଜୁନ୍ ୨୬ ତାରିଖରେ କୋଲକାତାର କସବା ଅଞ୍ଚଳରେ ଦକ୍ଷିଣ କୋଲକାତା ଆଇନ୍ କଲେଜର ଜଣେ ୨୪ ବର୍ଷୀୟା ପ୍ରଥମ ବର୍ଷର ଛାତ୍ରୀଙ୍କୁ କଲେଜ ପରିସରରେ ତିନି ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିଲେ। ଆରଜି କର ହସ୍ପିଟାଲ ବଳାତ୍କାର ଏବଂ ହତ୍ୟା ମାମଲାର ୧୦ ମାସ ପରେ ଘଟିଥିବା ଏହି ଘଟଣା ପଶ୍ଚିମବଙ୍ଗରେ ଆଲୋଡନ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ଆସୁଥିବା ବେଳେ ଆଜି ଆଉ ଏକ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟା ସାମ୍ନାକୁ ଆସିଛି।
ତଥ୍ୟ ମୁତାବକ ଯେତେବେଳେ ଅଭିଯୁକ୍ତମାନେ ଦୁଷ୍କର୍ମ ଉଦ୍ୟମ କରିଥିଲେ, ସେତେବେଳେ ପୀଡ଼ିତା ଡରରେ ଅଣନିଶ୍ୱାସୀ ହୋଇପଡ଼ିଥିଲେ। ଏହା ଦେଖି ମୁଖ୍ୟ ଅଭିଯୁକ୍ତ ତଥା ଆଇନ୍ କଲେଜର ପୂର୍ବତନ ଛାତ୍ର ମନୋଜିତ ମିଶ୍ର, ଅନ୍ୟ ଅଭିଯୁକ୍ତ ଜୈବ ଅହମ୍ମଦ ଓ ପ୍ରମିତ୍ ମୁଖୋପାଧ୍ୟାୟକୁ ପୀଡ଼ିତାଙ୍କ ପାଇଁ ଇନ୍ହେଲର ଆଣିବାକୁ କହିଥିଲେ। ଇନହେଲର ନେବା ପରେ ପୀଡ଼ିତାଙ୍କ ଅବସ୍ଥା ସ୍ଥିର ହେବାରୁ ସେ ଖସିଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମନୋଜିତ ତାଙ୍କୁ ଘୋଷାଡି ଆଣି ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହି ସମୟରେ ଅନ୍ୟ ଦୁଇ ଅଭିଯୁକ୍ତ ଏହି ଅପରାଧର ରେକର୍ଡ କରିଥିଲେ ବୋଲି ଜଣାଯାଇଛି। କିନ୍ତୁ ପୋଲିସ କହିଛି ଯେ ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। କଲେଜରୁ ସାତ ଘଣ୍ଟାର ସିସି ଟିଭି ଫୁଟେଜ୍ ଉଦ୍ଧାର କରାଯାଇଛି, ଯାହାକୁ ପୋଲିସ ପୀଡିତାଙ୍କ ବୟାନ ସହିତ ପ୍ରମାଣିତ କରିଛି।
ଘଟଣା ଦିନ ପୀଡିତାଙ୍କୁ ବ୍ଲାକମେଲ୍ କରିବା ପାଇଁ ବ୍ୟବହୃତ ହୋଇଥିବା ଏବଂ ଏଫଆଇଆର ସହିତ ସଂଲଗ୍ନ ତାଙ୍କ ଅଭିଯୋଗରେ ଉଲ୍ଲେଖ କରାଯାଇଥିବା ଭିଡିଓ ଫୁଟେଜ୍ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ରୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିବା ପାଇଁ ଏକ ଫୋରେନସିକ୍ ଦଳ କଲେଜ ପରିଦର୍ଶନ କରିଥିଲା। ଘଟଣାସ୍ଥଳରୁ ଏକ ହକି ଷ୍ଟିକ୍ ଉଦ୍ଧାର କରାଯାଇଛି। ପୀଡିତା ତାଙ୍କ ଅଭିଯୋଗରେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ହକି ଷ୍ଟିକ୍ ସାହାଯ୍ୟରେ ପିଟିବାକୁ ଚେଷ୍ଟା କରାଯାଇଥିଲା।