ଜମ୍ମୁ-କାଶ୍ମୀର-: ପହଲଗାମ ଆକ୍ରମଣର ପ୍ରଥମ ପ୍ରତିଶୋଧ ନେଇଛି ଭାରତ । ଜମ୍ମୁ-କାଶ୍ମୀର ବନ୍ଦିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସେନା ଗୁଳିରେ ଟଳିଛି ଟପ୍ ଆତଙ୍କୀ କମାଣ୍ଡର । ଲସ୍କର-ଏ-ତୋଏବାର ଟପ୍ କମାଣ୍ଡର ଅଲତାଫ୍ ଲାଲ୍ଲି ନିହତ ହୋଇଛି । ସେହିପରି ଏନକାଉଣ୍ଟରରେ ୨ ଜଣ ସୁରକ୍ଷାକର୍ମୀ ଗୁରୁତର ହୋଇଥିବା ମଧ୍ୟ ସୂଚନା ମିଳିଛି । ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ଜଡିତ ସନ୍ଦିଗ୍ଧ ଲସ୍କର ଆତଙ୍କବାଦୀଙ୍କ ଧରିବାକୁ ମିଳିତ ସର୍ଚ୍ଚ ଅପରେସନ ବେଳେ ଏନକାଉଣ୍ଟର ହୋଇଛି ।
ଶୁକ୍ରବାର ସକାଳେ, ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ଗୋଇନ୍ଦା ସୂଚନା ଆଧାରରେ, ଭାରତୀୟ ସେନା ଏବଂ ଜମ୍ମୁ ଓ କଶ୍ମୀର ପୁଲିସ ଦ୍ୱାରା ବନ୍ଦିପୋରରେ ଏକ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଆତଙ୍କବାଦୀଙ୍କୁ ଠାବ କରିବା ପରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଯାହାପରେ ସର୍ଚ୍ଚ ଅପରେସନ ଏନକାଉଣ୍ଟରରେ ବଦଳି ଯାଇଥିଲା ।
ଅନ୍ୟ ଏକ ଘଟଣାକ୍ରମରେ, ପହଲଗାମ ଆକ୍ରମଣରେ ଜଡ଼ିତ ଥିବା ସନ୍ଦେହ କରାଯାଉଥିବା ଦୁଇ ଆତଙ୍କବାଦୀଙ୍କ ଘରକୁ ଶୁକ୍ରବାର ସୁରକ୍ଷା ବାହିନୀ ଏବଂ ଜମ୍ମୁ ଓ କଶ୍ମୀର କର୍ତ୍ତୃପକ୍ଷ ଧ୍ୱଂସ କରିଦେଇଛନ୍ତି। ବିଜବେହାରାରେ ଲସ୍କର ଆତଙ୍କବାଦୀ ଆଦିଲ ହୁସେନ ଥୋକରଙ୍କ ବାସସ୍ଥାନକୁ ଆଇଇଡି ବ୍ୟବହାର କରି ଉଡ଼ାଇ ଦିଆଯାଇଥିବା ବେଳେ, ତ୍ରାଲରେ ଆସିଫ ଶେଖଙ୍କ ଘରକୁ ବୁଲଡୋଜର ଦ୍ୱାରା ଭାଙ୍ଗି ଦିଆଯାଇଛି।