ଭୁବନେଶ୍ଵର: ଓଡ଼ିଶାରେ ଜମି କିଣାବିକା ଠକେଇକୁ ରୋକିବା ପାଇଁ ରାଜ୍ୟ ସରକାର ଆଣୁଛନ୍ତି ବଡ଼ ପଦକ୍ଷେପ। ଏଣିକି ଜମି ପଟ୍ଟାରେ ରହିବ ଇଲେକ୍ଟ୍ରୋନିକ୍ ଯୁକ୍ତ QR କୋଡ୍। ଏହି QR କୋଡ୍ ସ୍କାନ୍ କଲେ ଜମି ମାଲିକଙ୍କ ସମ୍ପୂର୍ଣ୍ଣ ତଥ୍ୟ ମିଳିବ। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ନୂଆ ପ୍ରକାରର ଜମି ପଟ୍ଟା ପ୍ରସ୍ତୁତ ହେଉଛି। ଏହି ପଟ୍ଟାରେ ରହିବ ଇଲେକ୍ଟ୍ରୋନିକ୍ QR କୋଡ୍, ଯାହା ସ୍କାନ୍ କରିଲେ ଜମିର ମାଲିକାନା, ଖତିଆନ ନମ୍ବର, ପ୍ଲଟ୍ ବିବରଣୀ ଓ ଅନ୍ୟାନ୍ୟ ତଥ୍ୟ ତୁରନ୍ତ ଦେଖାଯିବ।

ମନ୍ତ୍ରୀଙ୍କ କହିବା ଅନୁସାରେ, ଏହି ବ୍ୟବସ୍ଥା ଚାଲୁ ହେଲେ ଠକମାନେ ଜାଲିଆତି ଦଳିଲ୍ ଦେଖାଇ ଲୋକଙ୍କୁ ଭୁଲାଇ ପାରିବେନି। ଯଦି କୌଣସି ଠକେଇ କିମ୍ବା ଅବୈଧ ଲେନଦେନ ଚେଷ୍ଟା ହୁଏ, ତେବେ ସିଧାସଳଖ ତହସିଲଦାର ଓ ଆରଆଇ (Revenue Inspector)ଙ୍କ ପାଖକୁ ସୂଚନା ପହଞ୍ଚିବ। ଏହା ଜମି ବ୍ୟବସ୍ଥାପନାରେ ସ୍ୱଚ୍ଛତା ଆଣିବା ସହିତ ଲୋକଙ୍କ ବିଶ୍ୱାସ ବଢ଼ାଇବ। ଏହା ସହ ରାଜସ୍ୱ ମନ୍ତ୍ରୀ କୋଟିଆ ପ୍ରସଙ୍ଗରେ ଆନ୍ଧ୍ର ପ୍ରଦେଶକୁ ଟାର୍ଗେଟ୍ କରିଥିଲେ। ସେ କହିଥିଲେ ଯେ, ଆର୍ଥିକ ଦୃଷ୍ଟିରୁ ଆନ୍ଧ୍ର ଦୁର୍ବଳ ଅବସ୍ଥାରେ ଅଛି ଓ ବଜେଟ୍ ପାଇଁ ପର୍ଯ୍ୟାପ୍ତ ଧନରାଶି ନାହିଁ। ଏମିତି ପରିସ୍ଥିତିରେ ନିଜ ରାଜ୍ୟର ବିକାଶକୁ ଛାଡ଼ି ଓଡ଼ିଶାର କିଛି ଗାଁ ଉପରେ ଦାବି କରିବାର ଉଦ୍ଦେଶ୍ୟ କଣ ବୋଲି ପ୍ରଶ୍ନ ଉଠାଇଥିଲେ। ସେ ଆଉ କହିଥିଲେ ଯେ, ଏବେ ପୁରୁଣା ଭଳି ବିନା ବାଧାରେ ଅନ୍ୟ ରାଜ୍ୟର ଲୋକ ଓଡ଼ିଶା ସୀମାଭିତରେ ପ୍ରବେଶ କରିପାରିବେନି।