ଖେଳନା ବନ୍ଧୁକ ଦେଖାଇ ଲୁଟିନେଲା ଲକ୍ଷାଧୀକ ଟଙ୍କା

ଭୁବନେଶ୍ୱର: ଫୁଲ ପ୍ଲାନିଂରେ ବ୍ୟାଙ୍କ ଲୁଟ ପାଇଁ ଯାଇଥିଲା । ଲୁଟ ବି କଲା । ହେଲେ ଦୁର୍ଭାଗ୍ୟ, ମାଡିବସିଲେ ସ୍ଥାନୀୟ ବାସିନ୍ଦା । ଏପରି ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ । ଗତକାଲି ସଂଧ୍ୟାରେ ବାଲିଅନ୍ତା ସ୍ଥିତ ଏସବିଆଇ ଶାଖାରୁ ଏହି ଲୁଟ ହୋଇଥିଲା । ତେବେ ଲୁଟେରାର ସବୁ ପ୍ଲାନ ଫସର ଫାଟିଗଲା ।

ଶଙ୍କର ନାମକ ଜଣେ ବ୍ୟକ୍ତି ବାଲିଅନ୍ତସ୍ଥିତ ଏସବିଆଇ ଶାଖାକୁ ଆସିଥିଲା । ବହୁ ସମୟ ବ୍ୟାଙ୍କରେ ବସି ରହିଲା । ସଂଧ୍ୟାରେ ବ୍ୟାଙ୍କ ବନ୍ଦ ହେଲା । ଗ୍ରାହକମାନେ ବ୍ୟାଙ୍କ ଛାଡିଲେ । କର୍ମଚାରୀ ମଧ୍ୟ ଘରକୁ ଯିବାକୁ ବାହାରିଲେ । ଏହି ସମୟରେ ଶଙ୍କର ଏକ ବନ୍ଧୁକ ବାହାର ଚରି କର୍ମଚାରୀଙ୍କ ମୁଣ୍ଡରେ ରଖିଦେଲା । କର୍ମଚାରୀଙ୍କ ମଧ୍ୟରେ ଖେଳିଗଲା ଆତଙ୍କ । ଡରାଇ ଧମକାଇ ଲକର ଖୋଲି ମାତ୍ର କମ ସମୟ ମଧ୍ୟରେ ଶଙ୍କର ବ୍ୟାଙ୍କ ଲକରରୁ ଲୁଟିନେଲା ୮ ଲକ୍ଷ ୩୨ ହଜାର ଟଙ୍କା ଓ ସୁନା ଅଳଙ୍କାର । ଲୁଟ ପରେ ବ୍ୟାଙ୍କରୁ ଚମ୍ପଟ ମାରିଲା । କିନ୍ତୁ ଭାଗ୍ୟ ସାଥଦେଲା ନାହିଁ । କିଛି ବାଟ ଯାଇଛି କି ନାହିଁ ସ୍ଥାନୀୟ ଲୋକେ ଗୋଡେଇ ଗୋଡେଇ ବିଲ ଭିତରେ ମାଡିବସିଲେ । ବହେ ଉତ୍ତମ ମଧ୍ୟମ ମଧ୍ୟ ଦେଲେ । ସବୁଠାରୁ ମଜା କଥା କି ଯେଉଁ ବନ୍ଧୁକଟି ଦେଖାଇ କରିଥିଲା ଲୁଟ ତାହା ଅସଲି ନ ଥିଲା, ଥିଲା ଗୋଟେ ଖେଳନା ବନ୍ଧୁକ ।