ମାରିଆପୁଲରେ କବରସ୍ଥାନର ଅଭାବ; ନାହିଁ ନଥିବା ଦୁର୍ଦଶାରେ ୟୁକ୍ରେନ ବାସୀ

ମାରିଆପୁଲ: ଋଷ-ୟୁକ୍ରେନ ଯୁଦ୍ଧକୁ ପୁରିଲା ୧୬ ଦିନ । ତଥାପି ଥମୁନି ଏହି ଯୁଦ୍ଧ । ଋଷ ଲଗାତାର ୟୁକ୍ରେନ ଉପରେ କରି ଚାଲିଛି ଆକ୍ରମଣ । ସେପଟେ ୟୁକ୍ରେନ ବି ହାର ମାନିବାକୁ ନାରାଜ । ଏହି ଯୁଦ୍ଧରେ ଅନେକ ବଡ ବଡ ଅଟାଳିକା ଧ୍ୱଂସ ହେଲାଣି । କେବଳ ଅଟାଳିକା ନୁହେଁ, ସ୍କୁଲ କଲେଜଠୁ ଆରମ୍ଭ କରି ହସ୍‌ପିଟାଲ ମଧ୍ୟ ଧୂଳିସାତ ହୋଇଗଲାଣି । ହଜାର ହଜାର ଲୋକଙ୍କର ଜୀବନ ଗଲାଣି । କେବଳ ସୈନିକଙ୍କ ଜୀବନ ନୁହେଁ ସଧାରଣ ନାଗରିକଙ୍କର ମଧ୍ୟ ଜୀବନ ଗଲାଣି । ମୃତ୍ୟୁ ସଂଖ୍ୟା ଏତେ ମାତ୍ରାରେ ବୃଦ୍ଧି ପାଇଲାଣି ଯେ, ଯୁଦ୍ଧର ଭୟାବହତା ଭିତରେ ସମସ୍ତଙ୍କୁ ଅଲଗା ଅଲଗା ଜାଗାରେ କବର ଦେବା ମଧ୍ୟ ସମ୍ଭବ ହେଉନି । କିଭ୍‌, ଖାରକିଭ୍‌,ସୁମି, ଓଡେଶା ପରେ ସବୁଠୁ ବେଶୀ ପ୍ରଭାବିତ ହେଉଛି ବନ୍ଦର ସହର ମାରିଆପୁଲ ।

ମାରିଆପୁଲର ଗଳି କନ୍ଦିଠୁ ଆରମ୍ଭ କରି ଘରେ ଘରେ ମୃତ ଦେହ ଦେଖିବାକୁ ମିଳିଛି । ଯାହାଫଳରେ ବାଧ୍ୟ ହୋଇ ଗୋଟିଏ ସ୍ଥାନରେ ସବୁ ମୃତକଙ୍କୁ ଦାହ କରାଯାଉଛି । କାରଣ ସେଠାରେ ଯୁଦ୍ଧ ହେତୁ ଏତେ ମାତ୍ରାରେ ମୃତ୍ୟୁ ହେଉଛି ଯେ,କବରସ୍ଥାନରେ ପୋତିବା ପାଇଁ ସ୍ଥାନ ଅଭାବ ହେଉଛି । ଗୁଳିଗୋଳା ବର୍ଷଣ ମଧ୍ୟରେ ଶବ ପୋତିବା ସୁରକ୍ଷିତ ହେଉନଥିବାରୁ ଅଧିକାରୀମାନେ ସାମୁହିକ ଭାବେ ଶବଗୁଡିକୁ ଗୋଟିଏ ସ୍ଥାନରେ କବର ଦେଉଛନ୍ତି ।

ନ୍ୟୁଜ୍ ଏଜେନ୍ସି ଏପି ରିପୋର୍ଟ ମୁତାବକ, ମାରିଆପୁଲ ସହର ମଧ୍ୟରେ ଥିବା ଏକ ପୁରୁଣା କବରସ୍ଥାନରେ ୨୫ ମିଟର ଲମ୍ବର ଗାତ ଖୋଳାଯାଇ ଶବଘର ଏବଂ ସହରର ଭିନ୍ନ ସ୍ଥାନରେ ପଡିଥିବା ଶବକୁ ଆଣି ନଗର ସେବା ସାମାଜିକ କର୍ମକର୍ତ୍ତା ଏକାଠି ପୋତୁଛନ୍ତି । କେବଳ ଏତିକି ନୁହେଁ ସହରର ରାସ୍ତା ଉପରେ ମୃତଦେହକୁ କୁକୁର ଘୋଷାଡି ଖାଉଥିବାର ଖବର ଏକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହି ଚିତ୍ର ସାରା ବିଶ୍ୱ ବାସୀଙ୍କୁ ସ୍ତବ୍ଦ କରିଦେଇଛି । ଏତେ କରୁଣ ଚିତ୍ର ଦେଖି ମଧ୍ୟ ଯୁଦ୍ଧରୁ ଓହରୁ ନାହିଁ ଋଷ କି ହାର ମାନୁ ନାହିଁ ୟୁକ୍ରେନ ।