ଉତ୍ତରପ୍ରଦେଶ-: ବଡ ବିପଦରୁ ବର୍ତ୍ତିଗଲା ରାଜଧାନୀ ଏକ୍ସପ୍ରେସ । ଟ୍ରେନକୁ ଲାଇନଚ୍ୟୁତ କରାଇବାକୁ ଉଦ୍ୟମ କରି ରେଳଧାରଣାରେ କାଠଗଣ୍ଡି ବାନ୍ଧିଥିଲେ ଦୁର୍ବୃତ୍ତ । ହେଲେ ଟ୍ରେନ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ରାଜଧାନୀ ଏକ୍ସପ୍ରେସ ସମେତ ୨ଟି ଯାତ୍ରୀବାହୀ ଟ୍ରେନ । ଉତ୍ତରପ୍ରଦେଶର ହର୍ଦୋଇ ଜିଲାରୁ ଏହି ଘଟଣା ସାମ୍ନାକୁ ଆସିଛି ।
ସୋମବାର ସନ୍ଧ୍ୟାରେ ଧଲେନନଗର ଏବଂ ଉମରତାଲି ଷ୍ଟେସନ ମଧ୍ୟଭାଗ ରେଳ ଧାରଣାରେ କାଠଗଣ୍ଡି ବନ୍ଧାଯାଇଥିବା ଦେଖିବାକୁ ମିଳିଥିଲା । ସେହି ରୁଟ୍ରେ ଆସୁଥିବା ରାଜଧାନୀ ଏକ୍ସପ୍ରେସର ଲୋକୋ ପାଇଲଟ୍ ଜରୁରିକାଳୀନ ବ୍ରେକ୍ ଲଗାଇ ଟ୍ରେନକୁ ଅଟକାଇଥିଲେ । ନିଜେ ଟ୍ରେନରୁ ଓହ୍ଲାଇ ଧାରଣାରୁ କାଠଗଣ୍ଡି ହଟାଇଥିଲେ । ପରେ ସେ ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ । ଅନୁରୂପ ଭାବେ କାଠଗୋଦାମ ଏକ୍ସପ୍ରେସ ମଧ୍ୟ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ଅନ୍ୟ ଏକ ସ୍ଥାନରେ ରେଳଧାରଣାରେ କାଠ ଗଣ୍ଡି ବନ୍ଧାଯାଇ ଦୁର୍ଘଟଣା ଘଟାଇବାକୁ ଷଡ଼ଯନ୍ତ୍ର କରାଯାଇଥିଲା । ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଦୁର୍ଘଟଣା ଟଳି ଯାଇଥିଲା । ଜିଆରପି, ଆରପିଏଫ ଏବଂ ସ୍ଥାନୀୟ ପୋଲିସ ଦ୍ଵାରା ମାମଲାର ତଦନ୍ତ କରାଯାଉଛି ।