କାନାଡ଼ାରେ କପିଲ ଶର୍ମାଙ୍କ କାଫେ ଉପରେ ପୁଣି ଗୁଳିମାଡ଼

ନୂଆଦିଲ୍ଲୀ: କାନାଡାର ସରେ ସହରରେ ଥିବା ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କପସ୍ କାଫେରେ ପୁଣି ଗୁଳିମାଡ । ଦୁର୍ବୃତ୍ତମାନେ ରେଷ୍ଟୁରାଣ୍ଟ ଉପରକୁ ଗୁଳିମାଡ଼ କରିଛନ୍ତି । ଏହି ଘଟଣାର ଦାୟିତ୍ୱ କୁଖ୍ୟାତ ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡୀ ବରାଡ଼ (ଢିଲୋଁ) ଗ୍ୟାଙ୍ଗ ନେଇଛି । ଗ୍ୟାଙ୍ଗ ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏହି ଆକ୍ରମଣ ପଛରେ ସେମାନେ ଥିବା କଥା ସ୍ୱୀକାର କରିଛନ୍ତି ଏବଂ ପରବର୍ତ୍ତୀ ଆକ୍ରମଣ ମୁମ୍ବାଇରେ ହେବ ବୋଲି କହିଛି।

କାଫେ ଉପରେ ଗୁଳିମାଡ଼ ପରେ ଗୋଲ୍ଡି ବରାଡ଼ (ଢିଲୋଁ) ନାମକ ଏକ ସୋସିଆଲ ମିଡିଆ ଆକାଉଣ୍ଟରୁ ପୋଷ୍ଟ ଭାଇରାଲ ହେଉଛି। ପୋଷ୍ଟରେ ଲେଖାଯାଇଛି, ‘ଜୟ ଶ୍ରୀ ରାମ। ରାମ ରାମ ସମସ୍ତ ଭାଇମାନଙ୍କୁ। ଆଜି କପିଲ ଶର୍ମାଙ୍କ କାପ୍ସ କାଫେ, ସରେରେ ହୋଇଥିବା ଗୁଳିଚାଳନାର ଦାୟିତ୍ୱ ମୁଁ ଗୋଲ୍ଡି ଢିଲ୍ଲୋଂ ଏବଂ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନେଉଛୁ। ଆମେ ତାଙ୍କୁ ଫୋନ କରିଥିଲୁ, କିନ୍ତୁ ସେ ଜବାବ ଦେଇ ନ ଥିଲେ। ତେଣୁ ଆମକୁ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିଲା। ଯଦି ଏବେ ବି ସେ ଜବାବ ନ ଦିଅନ୍ତି, ତେବେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ମୁମ୍ବାଇରେ ଶୀଘ୍ର ହେବ।’

କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ସରେ ପୋଲିସ ଉଭୟ ଆକ୍ରମଣର ତଦନ୍ତ ଆରମ୍ଭ କରିଛି। ଯେଉଁଥିରେ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା, ସାକ୍ଷୀ ଏବଂ କାଫେ କର୍ମଚାରୀଙ୍କୁ ପଚରାଉଚରା କରିବା ଅନ୍ତର୍ଭୁକ୍ତ। ଏହା କପିଲ ଶର୍ମାଙ୍କର ପ୍ରଥମ ଆନ୍ତର୍ଜାତୀୟ ରେସ୍ତୋରାଁ  ଯାହା ଗତ ବର୍ଷ ହିଁ ଖୋଲିଥିଲା। ତେବେ ପୋଲିସ ସୂତ୍ର ଅନୁଯାୟୀ, ଏହି ଆକ୍ରମଣ ପଛରେ ମୁଖ୍ୟ କାରଣ ହେଉଛି ଦାଦାବଟି । ବିଷ୍ଣୋଇ ଗ୍ୟାଙ୍ଗ କପିଲ ଶର୍ମାଙ୍କଠାରୁ ମୋଟା ଅଙ୍କର ସୁରକ୍ଷା ରାଶି  ଦାବି କରୁଛି । କପିଲ ଶର୍ମା ଏବଂ ତାଙ୍କ ବିଜନେସ୍ ପାର୍ଟନର ଏହି ଦାବିକୁ ମାନିବାକୁ ମନା କରିଦେବାରୁ ସେମାନଙ୍କୁ ଡରାଇବା ପାଇଁ ଏଭଳି ଆକ୍ରମଣ କରାଯାଉଛି ।

କହିରଖୁଛୁ ଯେ, ଗତ ଜୁଲାଇ ୧୦ ତାରିଖରେ ଏକ କାରରେ କିଛି ଦୁର୍ବୃତ୍ତମାନେ ଆସି କପିଲ ଶର୍ମାଙ୍କ କପସ୍ କାଫେରେ ୧୦ରୁ ୧୨ ରାଉଣ୍ଡ ଗୁଳି ଚଲାଇଥିଲେ । ଯାହାର ଭି଼ଡିଓ ଭାଇରାଲ ହୋଇଥିଲା । କିନ୍ତୁ ସେତେବେଳେ କପିଲଙ୍କ କାଫେ ଉପରେ ହୋଇଥିବା ଆକ୍ରମଣର ଦାୟିତ୍ବ ନିଜ ମୁଣ୍ଡକୁ ନେଇଥିଲା ଖାଲିସ୍ତାନୀ ଆତଙ୍କବାଦୀ ହରଜିତ ସିଂହ ଲଡ୍ଡି । ଏନଆଇଏର ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ରହିଛି ହରିଜିତ । ସେ ବବ୍ବର ଖାଲସା ଇଣ୍ଟରନ୍ୟାଶନାଲ (ବିକେଆଇ) ସହ ଜଡିତ । ତେବେ କପିଲ ଶର୍ମାଙ୍କ କୌଣସି ପୁରୁଣା ବୟାନକୁ ନେଇ ଏହି ଆକ୍ରମଣ କରାଯାଇଥିବା ହରଜିତ କହିଥିଲା ।