ବଦଳିଲେ କଣ୍ଟାବାଞ୍ଜି IIC ଓ ସଇଁତଳା IIC

ବଲାଙ୍ଗିର: ବଦଳିଲେ କଣ୍ଟାବାଞ୍ଜି IIC ଓ ସଇଁତଳା IIC । କଣ୍ଟାବାଞ୍ଜି IIC ରଶ୍ମିତା ବେହେରାଙ୍କର ସଇଁତଳାକୁ ବଦଳି ହୋଇଥିବା ବେଳେ ସଇଁତଳା IIC ସୁଶାନ୍ତ ବଢ଼େଇଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଥିବା ନେଇ ସୂଚନା ମିଳିଛି । ତେବେ IIC ରଶ୍ମିତା ତାଙ୍କ ସ୍ବାମୀଙ୍କ ଦବଙ୍ଗଗିରିକୁ ନେଇ ଅଡୁଆରେ ପଡ଼ିଥିଲେ । ସେହିପରି ବଡ଼ମାଲ ଫାଣ୍ଡି ଅଧିକାରୀଙ୍କୁ ମାଡ଼ ଘଟଣାରେ ସଇଁତଳା IIC ଅଡୁଆରେ ପଡ଼ିଥିଲେ ।

ଗତ ମଙ୍ଗଳବାର ରାତିରେ କଣ୍ଟାବାଞ୍ଜିଠାରେ ଜଣେ ଅଜଣା ବ୍ୟକ୍ତି ନିଜକୁ ପୋଲିସ ଅଧିକାରୀ ପରିଚୟ ଦେଇ କିଛି ଲୋକଙ୍କୁ ମାଡ ମାରିଥିବା ଓ ପୋଲିସ ଗାଡି ଡକାଇ ଥାନାକୁ ଜବରଦସ୍ତି ନେଉଥିବା ଅଭିଯୋଗ ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତି ଜଣକ ପରେ କଣ୍ଟାବାଞ୍ଜି IIC ରଶ୍ମିତା ବେହେରାଙ୍କ ସ୍ଵାମୀ ଜଣାପଡିବା ପରେ କଣ୍ଟାବାଞ୍ଜିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ କଣ୍ଟାବାଞ୍ଜି ଥାନା ଘେରାଉ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଥାନାରେ ଲିଖିତ ଭାବେ ଜଣାଇଥିଲେ। ଅନ୍ୟପଟେ ଗତ ରବିବାର ସନ୍ଧ୍ୟାରେ କିଛି ଲୋକ ବଡ଼ମାଲ ଫାଣ୍ଡି କୁ ଧସେଇ ପଶିବା ସହ ଅଧିକାରୀଙ୍କୁ ଆକ୍ରମଣ ଓ ଧମକଚମକ ଦେଇଥିଲେ । ଘଟଣାରେ ସଇଁତଳା IICଙ୍କୁ ବଦଳି କରାଯାଇଛି । ତେବେ ଏନେଇ ଅଭିଯୋଗ ଆସିବା ପରେ ଆଜି ଏସ୍‌ପି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।