ବାଜିଲା ମୋହର, ଜଷ୍ଟିସ ସୂର୍ଯ୍ୟକାନ୍ତ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି
Justice Surya Kant New Chief Justice Of India, To Take Charge On November 24
ନୂଆଦିଲ୍ଲୀ: ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି। ତାଙ୍କ ନାଁରେ ମୋହର ମାରିଛି କେନ୍ଦ୍ର ଆଇନ ମନ୍ତ୍ରାଳୟ। ଆସନ୍ତା ନଭେମ୍ବର ୨୩ ତାରିଖରେ ସରୁଛି ବର୍ତ୍ତମାନର ପ୍ରଧାନ ବିଚାରପତି ଗଭାଇଙ୍କ କାର୍ଯ୍ୟକାଳ। ତା ପୂର୍ବରୁ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ସେ ହେବେ ଦେଶର ୫୩ତମ ମୁଖ୍ୟ ବିଚାରପତି। ଆସନ୍ତା ୨୪ ତାରିଖରେ ଦାୟିତ୍ବ ନେବେ ଜଷ୍ଟିସ ସୂର୍ଯ୍ୟକାନ୍ତ। ହରିୟାଣାର ସେ ହେବେ ପ୍ରଥମ ପ୍ରଧାନ ବିଚାରପତି। ୨୦୨୭, ଫେବ୍ରୁଆରୀ ୯ ତାରିଖ ଯାଏଁ ପଦବୀରେ ରହିବେ।

୨୦୧୯ ମେ ୨୪ ତାରିଖରେ ସୁପ୍ରିମ୍କୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିବା ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକାଳ ଦେଢ଼ ବର୍ଷରୁ ଅଧିକ ହେବ। ସେ ଫେବ୍ରୁଆରି ୯, ୨୦୨୭ରେ ଅବସର ନେବାର କାର୍ଯ୍ୟକ୍ରମ ରହିଛି। ୧୯୬୨ ମସିହା ଫେବ୍ରୁଆରି ୧୦ ତାରିଖରେ ହରିୟାଣାର ହିସାର ଜିଲ୍ଲାରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ ସୂର୍ଯ୍ୟକାନ୍ତ ୨୦୧୯ ମେ ୨୪ ତାରିଖରେ ସୁପ୍ରିମ୍କୋର୍ଟର ବିଚାରପତି ହୋଇଥିଲେ। ଧାରା ୩୭୦ ଉଚ୍ଛେଦ, ବାକ୍ ସ୍ୱାଧୀନତା, ଗଣତନ୍ତ୍ର, ଦୁର୍ନୀତି, ପରିବେଶ ଓ ଲିଙ୍ଗଗତ ସମାନତା ଆଦି ଅନେକ ମାମଲାର ବିଚାର କରି ସେ ଐତିହାସିକ ରାୟ ଦେଇଛନ୍ତି। ୧୯୮୪ରେ ମହର୍ଷି ଧ୍ୟାନଚାନ୍ଦ ବିଶ୍ବବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିବା ପରେ ହିସାର ଜିଲ୍ଲା କୋର୍ଟରେ ଆଇନଜୀବୀ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଅଭ୍ୟାସ କରିଥିଲେ। ମାତ୍ର ୩୮ ବର୍ଷ ବୟସରେ ହୋଇଥିଲେ ହରିୟାଣର ସର୍ବକନିଷ୍ଠ ଆଡଭୋକେଟ୍ ଜେନେରାଲ୍।