ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର  ଜିଲ୍ଲାପାଳ ଭାବେ ଡ. ନୃପରାଜ ସାହୁ ଆଜି ପୂର୍ବାହ୍ନ ରେ ଯୋଗଦାନ ପୂର୍ବକ କାର୍ଯ୍ୟାଭାର ଗ୍ରହଣ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଶ୍ରୀ ରାଜେନ୍ଦ୍ର ମାଝୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ମେହେର ଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ଓ ସାମ୍ବାଦିକ ପ୍ରମୁଖ ଜିଲ୍ଲାପାଳ ଙ୍କୁ କାର୍ଯ୍ୟାଳୟରେ ସ୍ୱାଗତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ପରେ ପରେ ନୂତନ ଜିଲ୍ଲାପାଳ, ସୁବର୍ଣ୍ଣପୁର ତରଭା ପଞ୍ଚାୟତ ସମିତିରେ ଅନୁଷ୍ଠିତ ହେଉଥିବା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ରେ ଯୋଗଦାନ କରିଥିଲେ  । ଅଭିଯୋଗ ଶୁଣାଣି ଶେଷ ହେବା ପରେ ଉପସ୍ଥିତ ଥିବା ସମସ୍ତ ଜିଲ୍ଲା ସ୍ତରୀୟ  ଓ ସମିତି ସ୍ତରୀୟ ଅଧିକାରୀ ମାନଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ ସହିତ ପରିଚୟ ଆଦାନ ପ୍ରଦାନ କରିଥିଲେ । ସେ ଏହି ଅବସରରେ ଜିଲ୍ଲା ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ସହଯୋଗ କାମନା କରିବା ସହିତ ଉପଲବ୍ଧ କର୍ମଚାରୀମାନଙ୍କୁ ନେଇ ଓ କର୍ମଚାରୀ ଅଭାବ ସତ୍ତ୍ୱେ ଆନ୍ତରିକତାର ସହିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଅଧିକାରୀ ଓ କର୍ମଚାରୀମାନେ ତାଙ୍କ ବିଭାଗ ବା କାର୍ଯ୍ୟାଳୟ ରେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡ଼ିକୁ ଉଚ୍ଚ ଅଧିକାରୀ ତଥା ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣି ଆଇନ ଓ ନିୟମ ଅନୁଯାୟୀ ସମାଧାନ ପାଇଁ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସେ ପ୍ରକାଶ କଲେ ଯେ, ଜିଲ୍ଲାର କୃଷି ଓ କୃଷକମାନଙ୍କର ସମସ୍ୟା, ସ୍ୱାସ୍ଥ୍ୟ ଓ ପରିମଳ ସମ୍ବନ୍ଧୀୟ ଓ ଶିକ୍ଷା ସମ୍ବନ୍ଧୀୟ ସମସ୍ୟାର ସମାଧାନ, ପ୍ରତିକାର ଓ ପ୍ରତିଷେଧକ ମୂଳକ ପଦକ୍ଷେପ ନେବା ତାଙ୍କର ପ୍ରାଥମିକତା ରହିବା ସଙ୍ଗେ ସଙ୍ଗେ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।  ଜିଲ୍ଲାର ପ୍ରତ୍ୟକ ବିଭାଗ ନିଜ ବିଭାଗୀୟ କାର୍ଯ୍ୟକ୍ରମର ଲାଭ ଯେପରି ସମସ୍ତ ହିତାଧିକାରୀ ଜନସାଧାରଣଙ୍କ ପାଖରେ ପହଞ୍ଚି ପାରିବ ସେଥିପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ପୁନଶ୍ଚ ପ୍ରତ୍ୟକ ଅଧିକାରୀ,କର୍ମଚାରୀ ନିଜ ନିଜ କାର୍ଯ୍ୟରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ହେବାକୁ ଗୁରୁତ୍ୱାରୋପ କରିଛନ୍ତି । ଏହା  ପୂର୍ବରୁ ସେ ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ରେଜିଷ୍ଟ୍ରାର ଭାବେ ସେ ଦକ୍ଷତାର ସହିତ ଦାୟିତ୍ୱ ନିର୍ବାହ କରିଥିଲେ ।