ନୂଆଦିଲ୍ଲୀ: ଶ୍ରଦ୍ଧାଳୁଙ୍କ ପାଇଁ କାଳ ହେଲା ବାଦଲଫଟା ବର୍ଷା। ଜମ୍ମୁ କଶ୍ମୀରର କିସ୍ତୱାଡ ଜିଲ୍ଲାରେ ତାଣ୍ଡବ ରଚିଲା ପ୍ରକୃତି। ଉତ୍ତରାଖଣ୍ଡର ଧରାଲୀ ପରେ ଏବେ ଜମ୍ମୁ କଶ୍ମୀରରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। ମାଟି ମିଶା ପାଣି ତଳେ ଚାପି ହୋଇଯାଇଛନ୍ତି ଶହ ଶହ ଲୋକ। ଏପର୍ଯ୍ୟନ୍ତ ୩୭ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ମାଟି ତଳେ ଚାପି ହୋଇଯାଇଥିବା କୁହାଯାଉଛି । ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।

ସୂଚନା ଅନୁଯାୟୀ, ଗୁରୁବାର ଦ୍ଵିପ୍ରହରରେ ଜମ୍ମୁ-କାଶ୍ମୀରର କିସ୍ତୱାଡ଼ର ପଡ୍ଡରର ଚିଶୋଟି ଗାଁରେ ମଚୈଲ ମାତା ମନ୍ଦିର ପାଖରେ ବାଦଲ ଫଟା ବର୍ଷା ହୋଇଛି। ଯାହାଦ୍ୱାରା ସେଠାରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମାମଲାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କିସ୍ତୱାଡ଼ର ଡିସି ପଙ୍କଜ ଶର୍ମାଙ୍କ ସହ ଫୋନରେ କଥା ହୋଇ ସୂଚନା ନେଇଛନ୍ତି। ଶ୍ରୀନଗର ପାଣିପାଗ କେନ୍ଦ୍ର ଆଗାମୀ ୬ ଘଣ୍ଟା ମଧ୍ୟରେ ପ୍ରଦେଶର ଅନେକ ସ୍ଥାନରେ ମଧ୍ୟମରୁ ଭାରୀ ବର୍ଷା ହେବାର ଆଶଙ୍କା କରିଛି । ବାଦଲଫଟା ବର୍ଷା ପରେ ମାଚେଲ ମାତା ପୀଠକୁ ଆରମ୍ଭ ହୋଇଥିବା ବାର୍ଷିକ ଯାତ୍ରା ସ୍ଥଗିତ ରଖାଯାଇଛି। ଉପରାଜ୍ୟପାଳ ମନୋଜ ସିହ୍ନା ବାଦଲଫଟା ବର୍ଷା ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏହା ସହିତ ପ୍ରଶାସନ, ପୁଲିସ, ସେନା, ଏନଡିଆରଏଫ ଏବଂ ଏସଡିଆରଏଫକୁ ଉଦ୍ଧାର କାର୍ଯ୍ୟ ତ୍ଵରାନ୍ବିତ କରିବାକୁ ନିର୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ଧାର୍ମିକ ତୀର୍ଥଯାତ୍ରା ପାଇଁ ଲୋକମାନେ ଘଟଣା ଘଟିଥିବା ସ୍ଥାନରେ ଏକାଠି ହୋଇଥିଲେ। ସେଠାରେ ପୂଜାର୍ଚ୍ଚନା ପାଇଁ ତମ୍ବୁ ଲଗାଯାଇଥିଲା ଏବଂ ଭକ୍ତମାନଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଭକ୍ତମାନେ ପହଞ୍ଚି ପୂଜା ପାଇଁ ପ୍ରସ୍ତୁତି କରୁଥିବା ବେଳେ ହଠାତ୍ ମାଡ଼ିଆସିଥିଲା ପ୍ରଳୟଙ୍କାରୀ ବନ୍ୟା। ହଠାତ୍ ଉପରମୁଣ୍ଡରେ ବାଦଲଫଟା ବର୍ଷା ହେବାରୁ ପାଣି ପ୍ରଖର ବେଗରେ ତଳକୁ ଆସିଥିଲା। ଲୋକଙ୍କ ପାଖରେ ଏହାର କୌଣସି ସୂଚନା ନଥିବାରୁ ସେମାନେ ସଚେତନ ହୋଇପାରିନଥିଲେ, ଯାହାଫଳରେ ଏକାଧିକ ଲୋକ ପାଣିସ୍ରୋତରେ ଭାସିଯାଇଥିବା ଜଣାଯାଇଛି। ସେପଟେ ହିମାଚଳରେ ମୂଷଳଧାରା ବର୍ଷା ସହ ଫ୍ଲାସଫ୍ଲଡ ସ୍ଥିତି ଭୟଙ୍କର କରିଛି। ଏହି କାରଣରୁ କୁଲ୍ଲୁ, ତୀର୍ଥନ ଘାଟି, ନିରମଣ୍ଡ ଓ ଶିମଲାର ରାମପୁରରେ ପ୍ରବଳ କ୍ଷୟକ୍ଷତି ହେଇଛି। ଫଳରେ ମଣିମହେଶ ଯାତ୍ରା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେଠାରେ ଶିମଲା ଓ ଚମ୍ବାରେ ପଥର ଖସି ଦୁଇଜଣଙ୍କର ମୃତ୍ୟୁ ହୋଇଛି। ସେପଟେ ଦିଲ୍ଲୀରେ ମଧ୍ୟ ଜୋରଦାର ବର୍ଷା ଜନଜୀବନକୁ ପ୍ରଭାବିତ କରିଛି। ବହୁ ଅଞ୍ଚଳରେ ପାଣି ରାସ୍ତାରେ ଚାଲୁଥିବାର ଜାମ୍ ଲାଗି ରହିଛି।