ଶ୍ରୀମନ୍ଦିର ଚୁଲି ଭଙ୍ଗା ଘଟଣା : ସନ୍ଦିଗ୍ଧଙ୍କୁ ବାଇଶିପାହାଚ ବାହାରେ ଛାଡିଥିଲେ ଜେଟିପି !

ଭୁବନେଶ୍ୱର/ଜୟନ୍ତ କୁମାର ସେଠୀ: ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣାରେ ପୁରୀ ଏସପିଙ୍କ ବୟାନ୍ । ସିସିଟିଭିରେ ଚିହ୍ନଟ ସନ୍ଦିଗ୍ଧଙ୍କୁ ବାଇଶି ପାହାଚ ଦେଇ ବାହାରେ ଛାଡିଥିଲେ ୪ ଜଣ ଜେଟିପି । ସିସିଟିଭିରେ ଏପରି ଦୃଶ୍ୟ ରହିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପୁରୀ ଏସପି । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରାଯାଇଛି । ଜେଟିପିଙ୍କୁ ପଚରାଉଚରା କରାଯାଉଛି । ସନ୍ଦିଗ୍ଧଙ୍କ ସହ ସେମାନେ କ’ଣ କଥା ହୋଇଥିଲେ । କେଉଁ ବିଷୟରେ ପଚାରିଥିଲେ ଓ କିପରି ସେଠାରୁ ସେ ବହାରିଗଲେ ସେନେଇ ଜେଟିପିଙ୍କୁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି ।

ଅନ୍ୟପକ୍ଷେ, ଗତକାଲି ଶ୍ରୀମନ୍ଦିର ରୋଷ ଘରେ ଚୁଲା ଭଙ୍ଗା ରୁଜା ଘଟଣାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ପୋଲିସ ଡିଜି ସୁନିଲ ବଂସଲ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀମନ୍ଦିର ଆସି ଘଟଣାର ସବିଶେଷ ଅନୁଧ୍ୟାନ କରିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ ପୋଲିସ ସିସିଟିଭି ରୁ କିଛି ତଥ୍ୟ ସଂଗ୍ରହ କରିଛି। ସେହିପରି ରାତିରେ ଡ୍ୟୁଟିରେ ଥିବା ଜେଟିପିଙ୍କୁ ମଧ୍ୟ ଜେରା କରାଯାଇଛି । ଉଭୟ ପୋଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଚାଲିଛି।ଏହା ପଛରେ ଥିବା ଵ୍ୟକ୍ତିଙ୍କୁ ଧାରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ସେହିପରି, ଏଣିକି ରାତିରେ ଶ୍ରୀମନ୍ଦିର ଭିତରେ ଜେଟିପିଙ୍କ ସହ ଓଡିଶା ପୋଲିସ ମଧ୍ୟ ଡ୍ୟୁଟିରେ ରହିବେ । ରାତିରେ ଦ୍ୱାର ବନ୍ଦ ପରେ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଖାଲି କରାଯିବ। ଯେଉଁ ସ୍ଥାନରେ ସିସିଟିଭି ନାହିଁ ସେଠାରେ ସିସିଟିଭି ଲାଗିବ । ସେପଟେ ପୋଲିସ ଡିଜି ସୁନିଲ ବଂସଲ କହିଛନ୍ତି ଶ୍ରୀମନ୍ଦିର ଭିତରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ । ଆହୁରି ଅଧିକ ସିସିଟିଭି ଲାଗିବ । ତେବେ ରୋଷ ଘରେ ଚୁଲା ଭଙ୍ଗା ଘଟଣାରେ ପୋଲିସ ତଦନ୍ତ କରୁଚି । ଖୁବ ଶୀଘ୍ର ଏହା ପଛର କାରଣ ଓ କିଏ ଘଟଣାରେ ସମ୍ପୃକ୍ତ ଅଛି ପୋଲିସ ତାକୁ ଠାବ କରିବ । ଶ୍ରୀମନ୍ଦିର ଭିତରେ ବିଶୃଙ୍ଖଳା କୁ ଜମାବି ବରଦାସ୍ତ କରାଯିବନି।