ଆଇପିଏଲରେ ପୁଣି କରୋନା ମାରିଲା ଏଣ୍ଟ୍ରି: ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ କ୍ବାରେଣ୍ଟାଇନ

ନୂଆଦିଲ୍ଲୀ: ଆଇପିଏଲର ୧୫ ତମ ସିଜନରେ ପୁଣି ଏଣ୍ଟ୍ରି ମାରିଛି କରୋନା । ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପାଟ୍ରିକ୍ ଫାରହାର୍ଟ କରୋନା ପଜିଟିଭ୍ ବୋଲି ଜଣାପଡିଥିଲା । ଫଳରେ, ବର୍ତ୍ତମାନ ସମଗ୍ର ଦିଲ୍ଲୀ ଦଳକୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଦଳର ପରବର୍ତ୍ତୀ ମ୍ୟାଚ୍ ପୁଣେରେ ଅନୁଷ୍ଠିତ ହେବ। ତେବେ ମ୍ୟାଚ ପୂର୍ବରୁ ବର୍ତ୍ତମାନ ସମସ୍ତ ଖେଳାଳିଙ୍କ ଜଣଙ୍କ ପରେ ଜଣଙ୍କର କରାଯିବ କରୋନା ଟେଷ୍ଟ। ଏହା ପରେ ହିଁ ଆଗାମୀ ମ୍ୟାଚ ପାଇଁ ନିଷ୍ପତ୍ତି ନିଆଯିବ ।

ସୂଚନା ଅନୁଯାୟୀ, ପ୍ରଥମେ ଦିଲ୍ଲୀ କ୍ୟାପିଟାଲ୍ସ ଫିଜିଓ ପାଟ୍ରିକ୍ ଫାରହାର୍ଟ କରୋନା ସଂକ୍ରମିତ ହୋଇଥିଲେ। ଇଏସପିଏନ୍ କ୍ରିକଇନଫୋ ରିପୋର୍ଟ ଅନୁଯାୟୀ, ଏବେ ପୁଣି ଦଳର ଜଣେ ବିଦେଶୀ ଖେଳାଳିଙ୍କ ସହ ଜଣେ ସପୋର୍ଟ ଷ୍ଟାଫ୍ ମଧ୍ୟ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏଥିସହ ଦଳରେ ମୋଟ କରୋନା ମାମଲା ତିନିକୁ ବୃଦ୍ଧି ପାଇଛି ।ତେବେ ସଂକ୍ରମିତ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ନାମ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

ଅନ୍ୟପକ୍ଷେ ଦିଲ୍ଲୀ କ୍ୟାପିଟାଲ୍ସ ତା’ର ପରବର୍ତ୍ତୀ ମ୍ୟାଚ୍ ପଞ୍ଜାବ କିଙ୍ଗସ ବିପକ୍ଷରେ ଏପ୍ରିଲ ୨୦ରେ ପୁଣେରେ ଖେଳିବାର ଅଛି |ତେବେ ଏଥିପାଇଁ ଦଳ ଆଜି ମୁମ୍ବାଇରୁ ପୁଣେ ବାହାରିଥାନ୍ତା । କିନ୍ତୁ ଦଳରେ କରୋନା ମାମଲା ଚିହ୍ନଟ ହେବା ପରେ ଦଳର ପୁଣେ ଯାତ୍ରା ସ୍ଥଗିତ ରଖାଯାଇଛି। ଟିମର ସମସ୍ତ ସଦସ୍ୟ ହୋଟେଲରେ କ୍ବାରେଣ୍ଟାଇନରେ ରହିଛନ୍ତି | ଏବେ ସମସ୍ତ ଖେଳାଳିଙ୍କ ଦୁଇ ଦିନ କରୋନା ଟେଷ୍ଟ ହେବ । ତେବେ ମ୍ୟାଚ ଖେଳିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।