ଚାଷୀଙ୍କ ପାଇଁ ବଡ ସମସ୍ୟା ସାଜିଛି IOCL

(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ଵୀପ)– ଚାଷୀଙ୍କ ପାଇଁ କାଳ ସାଜିଛନ୍ତି ଆଇଓସିଏଲ (ତୈଳ ବିଶୋଧନାଗାର) କର୍ତ୍ତୃପକ୍ଷ । ଏକର ଏକର ଜମିରେ ମଡାଯାଇଛି ଆଇଓସିଏଲର ତେଲ ମିଶା ପାଣି । ତେଲ ର ପ୍ରଭାବରେ ସଢ଼ି ଯାଇଛି ଧାନ ଫସଲ । ପାଣି ନିଷ୍କାସନ ପାଇଁ ବାଟ ନଥିବାରୁ ଏବେ ହତାଶ ହୋଇଛନ୍ତି ଢ଼ିଙ୍କିଆ ଓ ତ୍ରୀଲୋଚନପୁରର ଶହ ଶହ ଚାଷୀ । ତେଣୁ କ୍ଷତିପୂରଣ ସହିତ ଜଳ ନିଷ୍କାସନର ବ୍ୟବସ୍ଥା କରିବାକୁ ଚାଷୀ ମାନେ ଦାବି କରିଛନ୍ତି ।

ଆଇଓସିଏଲର ମନମାନୀ ପାଇଁ ଅସୁବିଧାରେ ପଡିଛନ୍ତି ଢ଼ିଙ୍କିଆ, ତ୍ରୀଲୋଚନପୁର ଓ ବଡକଣ୍ଟା ଗ୍ରାମର ଚାଷୀକୂଳ । ନିଜ ପିଲାଙ୍କ ଭବିଷ୍ୟତ ଆଶାରେ ଆଇଓସିଏଲକୁ ଶାଗ ମାଛ ଦରରେ ଜମି ଦେଇଥିଲେ ଏଠାକାର ଚାଷୀ , କିନ୍ତୁ ଆଇଓସିଏଲ ମଜୁରୀ ଲାଗିବା ପାଇଁ ମଧ୍ୟ ସୁଯୋଗ ଦେଲା ନାହିଁ । ବରଂ ବଳକା ଚାଷ ଜମି , ନଦୀ ଓ ଭୂତଳ ଜଳକୁ ଏବେ ଅଘୋଷିତ ଆଇଓସିଏଲ କବଜା କରି ନେଇଥିବା କହିଛନ୍ତି ଚାଷୀମାନେ । କମ୍ପାନୀର ପରିଚାଳନା ତ୍ରୁଟି ଯୋଗୁଁ ପେଟକୋକ୍ ଓ କମ୍ପାନୀର ଲିକେଜ ତୈଳ ଏବେ ଚାରିଆଡ଼େ ଭାସୁଛି । ଲଗାଣ ବର୍ଷାରେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଗ୍ରାମରେ ଘଣ୍ଟ ବାଡ଼େଇ ଏକତ୍ରିତ ହେବା ସହିତ ଆଇଓସିଏଲ କମ୍ପାନୀ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି କ୍ଷତିଗ୍ରସ୍ତ ଚାଷୀ । ଆସନ୍ତା ୧୫ ଦିନ ମଧ୍ୟରେ କ୍ଷତିପୂରଣ ସହିତ ସ୍ଥାୟୀ ସମାଧାନ ପାଇଁ ସେମାନେ ଦାବି କରିଛନ୍ତି ।

ପାରାଦ୍ଵୀପ ବନ୍ଦର ନିକଟସ୍ଥ ଢ଼ିଙ୍କିଆ, ନୂଆଗାଁ, ଗୋବିନ୍ଦପୁର ଏବଂ ବାଲିତୁଠ ଅଞ୍ଚଳ ଏବେ ଆଇଓସିଏଲ କମ୍ପାନୀ ପାଇଁ ଶ୍ରୀହିନ ହେବାକୁ ବସିଛି । ମୁଖ୍ୟତଃ ଧାନ , ପାନ ଓ ମୀନକୁ ନେଇ ଏହି ଅଞ୍ଚଳର ଲୋକମାନେ ସମୃଦ୍ଧ । କିନ୍ତୁ ଆଇଓସିଏଲ ପ୍ରତିଷ୍ଠା ପରେ ଏବେ ଏହି ଅଞ୍ଚଳରେ ଏସବୁର ଅଭାବ ଦେଖାଦେଇଛି । କମ୍ପାନୀ ପରିସରରୁ ତୈଳ ମିଶ୍ରିତ ପାଣି , ଚାଷ ଜମି ସମେତ ନଦୀ ଗୁଡିକରେ ପଶିବାରୁ ଜମିରେ ଏକ ତୈଳାକ୍ତ ଆସ୍ତରଣ ଜମି ରହୁଛି । ଫଳରେ ଧାନ ଗଛ ଗୁଡ଼ିକ ସଢ଼ି ଯାଉଥିବା ବେଳେ ତୈଳାକ୍ତ ଆସ୍ତରଣ ଯୋଗୁଁ ନଦୀରେ ମାଛ ପଡୁ ନାହାଁନ୍ତି । ଏପରିକି ଏହି ପାଣି ଓ ଆଇଓସିଏଲର ଉତ୍କଟ ଗ୍ୟାସ ପ୍ରଭାବରେ ପାନ ଚାଷ ଓ ନଡ଼ିଆ ଚାଷ ମଧ୍ୟ ପ୍ରଭାବିତ ହେଉଛି । ସେପଟେ ସମୁଦ୍ରକୁ ପାଣି ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରାଯାଇନାହିଁ । ବାରମ୍ବାର ଏ ସମ୍ପର୍କରେ ଅବଗତ କରାଯାଇଥିଲେ ସୁଦ୍ଧା ଶୁଫଳଶୂନ । ତେଣୁ ଆସନ୍ତା ୧୫ ଦିନ ମଧ୍ୟରେ ଏସବୁର ସ୍ଥାୟୀ ସମାଧାନ ନହେଲେ ସମସ୍ତ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି ।

ଆଇଓସିଏଲ କତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଏହି ଅଞ୍ଚଳ ପାଇଁ ବିପଦ ଆଣିଦେଇଛି । ଯାହାକୁ ନେଇ ଏବେ ଆଇଓସିଏଲ ବିରୋଧରେ ମେଳି ବାନ୍ଧିଛନ୍ତି ଗ୍ରାମର ଶହଶହ ଚାଷୀ ।