ରାମ ମନ୍ଦିର ଉଦଘାଟନରେ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ: ରାମ ମନ୍ଦିର ଉଦଘାଟନରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ । ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଭବ୍ୟ ରାମ ମନ୍ଦିରର ଉଦଘାଟନ ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ହେବାକୁ ଧାଯ୍ୟ କରାଯାଇଛି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଛି । ଏହା ଜାନୁଆରୀ ୨୨ ତାରିଖ ଦିନ ୧୨.୩୦ ରୁ ଉଦଘାଟନୀ କାର୍ଯ୍ୟକ୍ରମ ଆରମ୍ଭ ହେବ ।
ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟମାନେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିଲେ । ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ମନ୍ଦିରର ପ୍ରାଣ ପ୍ରତିଷ୍ଠାନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହାକୁ ଗ୍ରହଣ କରି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ କହିଛନ୍ତି ।
ଏନେଇ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସୋଶିଆଲ ମିଡିଆ ଆକାଉଣ୍ଟ ଏକ୍ସରେ କହିଛନ୍ତି ଯେ ‘ଜୟ ଶିୟାରାମ। ଆଜିର ଦିନ ଅନେକ ଭାବନରେ ପୂରି ଯାଇଛି। ଏବେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପଦାଧିକାରୀମାନେ ମୋତେ ଭେଟିବା ପାଇଁ ମୋ ବାସଭବନକୁ ଆସିଥିଲେ। ସେମାନେ ମୋତେ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ୟ୍ୟକ୍ରମରେ ସାମିଲ ହେବା ପାଇଁ ଆଯୋଧ୍ୟା ଆସିବାକୁ ନିମନ୍ତ୍ରଣ କରିଛନ୍ତି। ମୁଁ ନିଜକୁ ବହୁତ ଧନ୍ୟ ମନେ କରୁଛି। ମୋ ଜୀବନକାଳ ମଧ୍ୟରେ ମୁଁ ଏପରି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ବନିବାକୁ ଯାଉଥିବାରୁ ନିଜକୁ ସୌଭାଗ୍ୟ ମନେ କରୁଛି।”
ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଚାଲିଥିବା ୩ ମହଲା ବିଶିଷ୍ଟ ଭବ୍ୟ ରାମ ମନ୍ଦିରର କାମ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ। ମନ୍ଦିରର ଗ୍ରାଉଣ୍ତ ଫ୍ଲୋର ନିର୍ମାଣ କାମ ଡିସେମ୍ବର ସୁଦ୍ଧା ଶେଷ ହୋଇଯିବ। ଏହାପରେ ମନ୍ଦିରର ପ୍ରତିଷ୍ଠା ଜାନୁଆରୀ ୨୨ରେ କରାଯିବ ବୋଲି ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ଏହାପୂର୍ବରୁ କହିଥିଲେ।ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ୟ୍ୟକ୍ରମ ୨୦ରୁ ୨୪ ଯାଏ ଚାଲିବାକୁ ଥିବା ବେଳେ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଯୋଗଦେବେ। ମନ୍ଦିରକୁ ହଜାରେ ବର୍ଷ ଯାଏ ସୁରକ୍ଷିତ ଭାବେ ରଖିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ହୋଇଛି।