ଦୀର୍ଘ ୮ ଦିନ ପରେ ମାଲକାନଗିରିରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା

ଭୁବନେଶ୍ୱର: ମାଲକାନଗିରିରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା । ଦୁଇ ଗାଁ ମଧ୍ୟରେ ବିବାଦ ଓ ଗଣ୍ଡଗୋଳ ଯୋଗୁ କଟକଣା ଜାରି ହୋଇଥିଲା । ଆଜି ଦିନ ୧୨ଟା ଯାଏ ଥିଲା କଟକଣା । ଆଉ ବୃଦ୍ଧି କରିନି ପ୍ରଶାସନ । ଏମଭି ୨୬ ଓ ରାଖାଲଗୁଡା ଗାଁରୁ BNS ର ଧାରା ୧୬୩ ହଟିଥିବା ବେଳେ ଇଣ୍ଟରନେଟ କଟକଣା ଆଜି ଦିନ ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିଲା । ଜିଲ୍ଲା ପ୍ରଶାସନ ତରଫରୁ ଏମଭି ୨୬ ଗାଁରେ ରିଲିଫ ସାମଗ୍ରୀ ବଣ୍ଟା ଯାଉଛି । ଥଇଥାନ କାର୍ଯ୍ୟ ଜାରି ରହିଛି । ଭାରତୀୟ ରେଡ଼କ୍ରସ ତରଫରୁ ମାଲକାନଗିରି ଜିଲ୍ଲାରେ ପହଞ୍ଚିଛି ରିଲିଫ ସାମଗ୍ରୀ ।

ସୂଚନାଯୋଗ୍ୟ ଯେ, କୋରକୋଣ୍ଡା ଥାନା ଅନ୍ତର୍ଗତ ରାଖଲଗୁଡା ଗ୍ରାମର ଲାକେ ପୋଡ଼ିଆମୀଙ୍କ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣା ପରେ ଉତ୍ୟକ୍ତ ଆଦିବାସୀ ସମ୍ପ୍ରଦାୟର ଲୋକେ ନିକଟସ୍ଥ ଏମଭି-୨୬ ଗ୍ରାମରେ ପୋଡ଼ାଜଳା ଓ ଭଙ୍ଗାରୁଜା କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ଏବଂ ସୋସିଆଲ ମିଡିଆ ଜରିଆରେ ଗୁଜବ ବ୍ୟାପିବାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ଇଣ୍ଟରନେଟ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା । ୧୯୫୮ରେ ଦଣ୍ଡକାରଣ୍ୟ ଥଇଥାନ ଯୋଜନାରୁ ବଙ୍ଗୀୟ ଶରଣାର୍ଥୀ ଓ ଆଦିବାସୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ନିକଟରେ ଲୋକେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ପରେ ଦୁଇ ଗାଁ ରାଖାଲଗୁଡ଼ା ଓ ଏମଭି ୨୬ ମୁହାଁମୁହିଁ ହୋଇଥିଲେ ।