ନୂଆଦିଲ୍ଲୀ ୮।୬: ନ୍ୟୁୟର୍କ ଟାଇମ୍ସ, ସିଏନଏନ ସମେତ ବିଶ୍ୱର ବଡ଼ବଡ଼ ସମ୍ବାଦ ସରବରାହ ସଂସ୍ଥାଙ୍କ ୱେବସାଇଟ୍ ଅଚଳ ହୋଇପଡିଛି। ଇଣ୍ଟରନେଟ୍ ଡାଉନ ହେବା ଯୋଗୁ ବହୁ ସଂଖ୍ୟାରେ ସାଇଟ୍ ଅପଡେଟ୍ ହୋଇ ପାରୁନାହିଁ। ଫଳରେ ସାରା ଦୁନିଆରେ ଚାଞ୍ଚଲ୍ୟ ଖେଳିଯାଇଛି। ମିଳୁଥିବା ସୂଚନା ଅନୁସାରେ ଏକ ଘରୋଇ କଣ୍ଟେଣ୍ଟ ଡେଲିଭରି ନେଟୱାର୍କ (ସିଡିଏନ)ରେ ସମସ୍ୟା ଯୋଗୁ ଏଭଳି ପରିସ୍ଥିତି ଉପୁଜିଛି। ରିପୋର୍ଟ ଅନୁସାରେ ଗାର୍ଡିଆନ, ବିବିସି ଓ ଫାଇନାନ୍ସିଆଲ ଟାଇମ୍ସ ଭଳି ସାଇଟ୍ ମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।ବିବିସି ରିପୋର୍ଟ ଅନୁସାରେ ଇଣ୍ଟନରେଟ୍ ଡାଉନ ରହିବା ଯୋଗୁ ଆମାଜନ, ରେଡିଟ୍ ଓ ଟ୍ୱିଚ୍ ଆଦି ବଡବଡ ୱେବସାଇଟ୍ ସଞ୍ଚାଳନରେ ମଧ୍ୟ ସମସ୍ୟା ଆସୁଛି। ବ୍ରିଟିଶ ସରକାରଙ୍କ ୱେବସାଇଟ୍ ଗଭ ଡଟ୍ ୟୁକେ ମଧ୍ୟ ବନ୍ଦ ହୋଇଯାଇଛି। ଯେଉଁ ସବୁ ୱେବସାଇଟ୍ରେ ସମସ୍ୟା ଦେଖାଯାଇଛି ସେଥିରେ ଏରର ୫୦୩ ସର୍ଭିସ ଅନଆଭେଲେବଲ ମ୍ୟାସେଜ୍ ଆସୁଛି। ତେବେ ୱେବସାଇଟ୍ ବନ୍ଦ ହେବା ନେଇ ସଠିକ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।
କେବଳ ଆମେରିକା ଓ ବ୍ରିଟେନରେ ଏହି ସମସ୍ୟା ଉପୁଜିଛି କି ବିଶ୍ୱର ଅନ୍ୟ ଦେଶରେ ମଧ୍ୟ ସମସ୍ୟା ଅଛି ସେ ନେଇ ସ୍ପଷ୍ଟ ଖବର ମିଳି ନାହିଁ। ଏଣୁ ବିସ୍ତୃତ ଖବରକୁ ଅପେକ୍ଷା କରାଯାଇଛି।