ରାୟଗଡା-: ରାୟଗଡା ଜିଲ୍ଲା ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛି ବଂଶଧାରା- ଘୁମୁସର- ନାଗାବଳି ଡିଭିଜନ ଘୁମସର ଏରିଆ କମିଟିର ଦୁର୍ଦ୍ଦାନ୍ତ ମାଓବାଦୀ ବିଜୟ ପୁନେମ ଓରଫ ଅଜୟ । ବିଜୟ ଗୋଟିଏ ପିସ୍ତଲ୍ ଓ ୮ରାଉଣ୍ଡ ଗୁଳି ସହିତ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କୁ ଧରାଇଦେବାକୁ ଓଡିଶା ସରକାରଙ୍କ ତରଫରୁ ୪ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । ବିଜୟ ବିରୁଦ୍ଧରେ ୭ରୁ ଅଧିକ ମାମଲା ରହିଥିବାବେଳେ ସେ କନ୍ଧମାଳ ଜିଲ୍ଲା ଓ ଛତିଶଗଡର ବିଭିନ୍ନ ସ୍ଥାନରେ ଏକାଧିକ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଘଟିଥିବା ଗୁଳି ବିନିମୟ ଘଟଣାରେ ଜଡିତ ଥିଲେ ।

ବିଜୟ ୨୦୦୯ ମସିହାରେ ସିପିଆଇ ସଂଗଠନରେ ଯୋଗ ଦେଇଥିଲେ ଏବଂ ତାଙ୍କର ପ୍ରାଥମିକ ତାଲିମ ସମାପ୍ତ ହେବା ପରେ ସେ ମୋଡେମ ବାଳକୃଷ୍ଣ ମନୋଜ ସହିତ ମାଓବାଦୀ ଦଳରେ ସାମିଲ ହୋଇଥିଲେ । ୨୦୧୪ ମସିହାରେ ତାଙ୍କୁ ପଦୋନ୍ନତି ଦିଆଯାଇଥିଲା । ପଦୋନ୍ନତି ପାଇବା ପରେ ସେ ମନୋଜର ଗନମ୍ୟାନ ଭାବରେ କାମ ଜାରି ରଖିଥିଲେ। ୨୦୨୩ ମସିହାରେ ତାଙ୍କୁ ବଂଶଧାରା- ଘୁମୁସର- ନାଗାବଳି ଡିଭିଜନକୁ ସ୍ଥାନାନ୍ତର କରାଯାଇଥିଲା । ୨୦୨୩ -୨୦୨୪ ପର୍ଯ୍ୟନ୍ତ ସେଇ ଡିଭିଜନରେ ବିଜୟ କାମ କରିଥିଲେ ।
