ଇଣ୍ଡିଗୋ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ ଘଣ୍ଟା ଧରି ଆକାଶରେ ରହିବା ପରେ ଦିଲ୍ଲୀ ବିମାନ ବନ୍ଦରକୁ ଫେରି ଆସିଥିଲା
ନୂଆଦିଲ୍ଲୀ-: ଗୁରୁବାର ଇମ୍ଫାଲ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତାହା ପ୍ରାୟ ଏକ ଘଣ୍ଟା ଧରି ଆକାଶରେ ରହିବା ପରେ ଦିଲ୍ଲୀ ବିମାନ ବନ୍ଦରକୁ ଫେରି ଆସିଥିଲା। ଦିଲ୍ଲୀରେ ତ୍ରୁଟି ସଜଡ଼ାଯିବା ପରେ ତାହା ପୁଣି ଉଡ଼ାଣ ଆରମ୍ଭ କରିଥିଲା ।
ଖବର ମୁତାବକ, ଇମ୍ପାଲ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନ 6E-5118 ଉଡ଼ାଣର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ ଘଣ୍ଟା ଧରି ଆକାଶରେ ଘୂରି ବୁଲିଥିଲା । ସକାଳ ୧୦.୨୫ ମିନିଟ ସମୟରେ ବିମାନଟି ଉଡ଼ାଣ ଭରିବାର ଥିଲା । କିନ୍ତୁ ବିମାନଟି ୯ ମିନିଟ ବିଳମ୍ବରେ ଉଡ଼ାଣ ଭରିଥିଲା । ଉଡ଼ାଣ ଭରିବାର ୧ ଘଣ୍ଟା ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ପାଇଲଟ ଜାଣିବାକୁ ପାଇଥିଲେ । ପାଇଲଟମାନେ ସତର୍କତାମୂଳକ ପଦକ୍ଷେପ ନେଇ ବିମାନକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଏହାକୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲେ।
ଇଣ୍ଡିଗୋର ଜଣେ ମୁଖପାତ୍ର କହିଛନ୍ତି ଏହି ଅପ୍ରତ୍ୟାଶିତ ପରିସ୍ଥିତି ଯୋଗୁଁ ଆମ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ । ଇଣ୍ଡିଗୋରେ ଯାତ୍ରୀ, କର୍ମଚାରୀ ଏବଂ ବିମାନର ସୁରକ୍ଷା ଓ ନିରାପତ୍ତା ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ।