ନୂଆଦିଲ୍ଲୀ-: ଏବେ ମହଙ୍ଗା ହେବ ରେଳ ଯାତ୍ରା । କାରଣ ଭାରତୀୟ ରେଳ ଦୀର୍ଘବର୍ଷ ପରେ ଟ୍ରେନ ଟିକେଟ ଦାମ୍ ବଢାଇବାକୁ ନିଷ୍ପତ୍ତି ନେଇଛି । ତେବେ ରେଳ ଯାତ୍ରା ପାଇଁ ନୂଆ ଦର ଆଜିଠାରୁ ଲାଗୁ ହୋଇଛି । ଟ୍ରେନର ଏସି ଓ ନନ୍ ଏସି ଟିକେଟ ମୂଲ୍ୟ ବୃଦ୍ଧି ପାଇଛି । ନନ୍ ଏସି ଟ୍ରେନ ଟିକେଟରେ କିଲୋମିଟର ପିଛା ୧ ପଇସା ଓ ଏସି କିଲୋମିଟର ପିଛା ୨ ପଇସା ବଢିଛି ।
ସୂଚନା ମୁତାବକ, ରେଳବିଭାଗ ତରଫରୁ ନନ୍-ଏସି ମେଲ ଏବଂ ଏକ୍ସପ୍ରେସ ଟ୍ରେନରେ ପ୍ରତିକିମି ୧ ପଇସା ବଢାଇବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଏସିରେ ୨ ପଇସା ପ୍ରତି କିମି ବଢାଇବାକୁ ନିଷ୍ପତ୍ତି ନିଆଯାଇଛି । ଦୂର ବାଟ ଯାତ୍ରା କରୁଥିବା ଯାତ୍ରୀଙ୍କ ପକେଟ ଉପରେ ଏହା ନିଶ୍ଚିତ ପ୍ରଭାବ ପକାଇବ । ୫୦୦ କିଲୋମିଟର ପର୍ଯ୍ୟନ୍ତ ସେକେଣ୍ଡ କ୍ଲାସ୍ ଟିକେଟ ଦର ବୃଦ୍ଧି ହୋଇନି । ୫୦୧ରୁ ୧୫୦୦ କିଲୋମିଟର ଦୂରତା ପାଇଁ ୫ଟଙ୍କା ବୃଦ୍ଧି ହୋଇଛି । ୧୫୦୧ରୁ ୨୫୦୦ କିମି ଯାଏ ୧୦ଟଙ୍କା ବଢାଯାଇଛି । ୨୫୦୧ରୁ ୩ ହଜାର କିମି ଯାଏ ୧୫ ଟଙ୍କା ବଢିଛି । ସ୍ଲିପର କ୍ଲାସ ପାଇଁ ୦.୫ ପଇସା ବଢିଛି । ଫାଷ୍ଟ କ୍ଲାସ୍ ଟିକେଟ ମଧ୍ୟ ୦.୫ ପଇସା ବଢିଛି । ସେପଟେ ରେଳବାଇରେ ତତ୍କାଳ ଟିକେଟ ବୁକିଂ ପାଇଁ ନୂଆ ନିୟମ ଲାଗୁ ହୋଇଛି । ଆଜିଠୁ ତତ୍କାଳ ଟିକେଟ ବୁକିଂ ପାଇଁ IRCTC ଓ୍ଵେବସାଇଟ୍ କିମ୍ବା ଆପ୍ ମାଧ୍ୟମରେ ଆଧାରକାର୍ଡ ବାଧ୍ୟତାମୂଳକ। ଆସନ୍ତା ୧୫ ତାରିଖରୁ ଆଧାର ଲିଙ୍କ୍ ହୋଇଥିବା ମୋବାଇଲ ନମ୍ବରକୁ ପଠାଯାଇଥିବା OTP ଯାଞ୍ଚ ବି ଆବଶ୍ୟକ।