ଆକ୍ରମଣର ସ୍ଥାନ ଭାରତ ସ୍ଥିର କରିବ, କିନ୍ତୁ ଏହା କେଉଁଠାରେ ଶେଷ ହେବ ତାହା ଆମେ ସ୍ଥିର କରିବୁ

ନୂଆଦିଲ୍ଲୀ-: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ପ୍ରତିଦିନ ପାକିସ୍ତାନ ପକ୍ଷରୁ କିଛି ନା କିଛି ବିବାଦୀୟ ବୟାନ୍ ସାମ୍ନାକୁ ଆସୁଛି । ଏମିତିକି ଯୁଦ୍ଧ ବିରତିକୁ ଉଲ୍ଲଂଘନ କରି ସୀମାରେ ଗୁଳି ବର୍ଷା କରୁଛି ପାକିସ୍ତାନ । ଯେକୌଣସି ସମୟରେ ଭାରତ ପକ୍ଷରୁ ଯୁଦ୍ଧ ଘୋଷଣା ହୋଇ ପାରେ ବୋଲି ପାକିସ୍ତାନ ଆଶଙ୍କା କରି ଭୟରେ ଅଛି । ଏହି ସମୟରେ, ପାକିସ୍ତାନ ସେନା ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ ଭାରତକୁ ଚେତାବନୀ ଦେଇଛନ୍ତି।

ଇସଲାମାବାଦରେ ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଦାରଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଅହମଦ ସରିଫ ଚୌଧୁରୀ ବିବୃତି ଦେଇ କହିଛନ୍ତି “ଯଦି ଭାରତ ଆକ୍ରମଣ କରେ, ତେବେ ଏହାର କଡ଼ା ଏବଂ ସୁଚିନ୍ତିତ ଜବାବ ଦିଆଯିବ । ଆକ୍ରମଣର ସ୍ଥାନ ଭାରତ ସ୍ଥିର କରିବ, କିନ୍ତୁ ଏହା କେଉଁଠାରେ ଶେଷ ହେବ ତାହା ଆମେ ସ୍ଥିର କରିବୁ ।” ଆମର ସମସ୍ତ ସ୍ଥଳ ସେନା, ବାୟୁସେନା ଏବଂ ନୌସେନା ଭାରତକୁ ଜବାବ ଦେବାକୁ ପୂରା ପ୍ରସ୍ତୁତ ଅଛନ୍ତି ।

ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇସାକ ଦାର ଅଭିଯୋଗ କରିଛନ୍ତି ଯେ ଭାରତ ପହଲଗାମ ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ସମ୍ପର୍କରେ “ମିଥ୍ୟା ଓ ଗଢା ଅଭିଯୋଗ” ଆଣି ଏହି ସାମରିକ କାର୍ଯ୍ୟାନୁଷ୍ଠାନର ଯୋଜନା କରୁଛି । ସେ ଦାବି କରିଛନ୍ତି ଯେ ପାକିସ୍ତାନ ଏହି ଆକ୍ରମଣରେ ସମ୍ପୃକ୍ତ ନୁହେଁ ଏବଂ ଏକ ସ୍ବାଧୀନ ଓ ପାରଦର୍ଶୀ ତଦନ୍ତ ପାଇଁ ପ୍ରସ୍ତାବ ଦେଇଛି । ତଥାପି, ଭାରତ ଏପର୍ଯ୍ୟନ୍ତ ଏହି ଦାବି ଉପରେ କୌଣସି ସରକାରୀ ମନ୍ତବ୍ୟ ଦେଇନାହିଁ ।