କାରଗିଲ ବିଜୟ ଦିବସ – ଏବେବି ଦେଶ ଭୁଲିନି ବୀର ଯବାନଙ୍କ ବଳିଦାନ

ନୂଆଦିଲ୍ଲୀ: ୧୯୯୯ ମସିହା ଜୁଲାଇ ମାସ ୨୬ ତାରିଖ । ଏଲ୍‌ଓସି ନିକଟବର୍ତ୍ତୀ କାରଗିଲ୍‌ ଜିଲ୍ଲାର ଟାଇଗର ହିଲ୍‌, ଟ୍ରୋଲ ଲିଙ୍ଗ୍‌ ଭଳି ପର୍ବତ ଶିଖର ଉପରେ ପୁଣିଥରେ ଉଡିଥିଲା ବିଜୟ ତ୍ରିରଙ୍ଗା । ପାଳନ ହୋଇଥିଲା କାରଗିଲ୍‌ ବିଜୟ ଦିବସ । ଏହି ଦିନ ଭାରତୀୟ ସେନାର ଜବାବରେ କାରଗିଲ୍‌ରୁ ପାକିସ୍ତାନ ସେନା ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲା। କାରଗିଲ୍‌ ଯୁଦ୍ଧରେ ଭାରତୀୟ ସେନା ଅପୂର୍ବ ସାହସିକତା ପ୍ରଦର୍ଶନ କରି ପାକିସ୍ତାନ ସେନାକୁ ଉଚିତ ଶିକ୍ଷା ଦେଇଥିଲା । ୬୦ ଦିନ ଧରି ଏହି ଯୁଦ୍ଧ ଲାଗିଥିଲା । ପାକିସ୍ତାନ ସେନାକୁ କାରଗିଲ୍‌କୁ ହଟାଇ ବିଜୟ ବାନା ଉଡ଼ାଇଥିଲା ଭାରତୀୟ ସେନା । ୧୯୯୯ରେ ଲାହୋର ରାଜିନାମାକୁ ଅମାନ୍ୟ କରି ପାକିସ୍ତାନ ସେନା କଶ୍ମୀରର କାର୍ଗିଲ ଅଞ୍ଚଳରେ ପ୍ରବେଶ କରିଥିଲେ । ଭାରତ ଓ ପାକିସ୍ତାନ ମଧ୍ୟରେ ୨ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିବା ପରେ ପାକିସ୍ତାନକୁ ପରାସ୍ତ କରିଥିଲା ଭାରତ । ଏଥିରେ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି ।

୧୯୯୯ ମସିହାର ‘କାର୍‍ଗିଲ୍‍ ଯୁଦ୍ଧ’ ଭାରତର ସମର ଇତିହାସରେ ଏକ ନୂତନ ଇତିହାସ ସୃଷ୍ଟି କରିଥିଲା। ଜିରୋ ଡିଗ୍ରୀ ସେଲ୍‌ଫସିୟସ୍‍ରୁ କମ୍‍ ତାପମାନ, ଅସ୍ଥିମଜ୍ଜା ଶିହରି ଉଠୁଥିବା ଭଳି ବରଫମିଶା ପ୍ରବଳ ବେଗରେ ବୋହୁଥିବା ଅତି ଥଣ୍ଡା ପବନ, ଅତ୍ୟୁଚ୍ଚ ପର୍ବତର ତୀକ୍ଷ୍‌ଣ ବରଫ ଶୃଙ୍ଗରୁ ବରଫ ଧସିଯିବାର ଭୟ, ଅମ୍ଳଜାନର ଘୋର ଅଭାବ କାରଣରୁ ପ୍ରଶ୍ୱାସ ନେବାରେ ଖୁବ୍‍ କଷ୍ଟ ହେଉଥିଲେ ମଧ୍ୟ ଆମ ସେନାବାହିନୀର ବୀର ଯବାନଙ୍କ ମନୋବଳକୁ ହ୍ରାସ କରି ପାରିନଥିଲା। ଏହି ଯୁଦ୍ଧ ମେ’ ମାସରୁ ଆରମ୍ଭ ହୋଇ ଜୁଲାଇ ୨୬ (ପାଖାପାଖି ୬୦ ଦିନ) ଯାଏଁ ଚାଲିଥିଲା। ଯୁଦ୍ଧରେ ୫୨୭ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ୧୩୬୩ ଯବାନ ଆହତ ହୋଇଥିଲେ। ଅପରପକ୍ଷେ ପାକିସ୍ତାନର ୩ ହଜାର ଯବାନଙ୍କର ମୃତ୍ୟୁ ହୋଇଥିଲା। ଶେଷରେ ପାକିସ୍ତାନ ସେନାକୁ କାରଗିଲ୍‌ରୁ ହଟାଇ ବିଜୟ ବାନା ଉଡ଼ାଇଥିଲା ଭାରତୀୟ ସେନା ।

୩ ମେ ୧୯୯୯ରେ କାରଗିଲରେ ପାକିସ୍ତାନୀ ସେନା ଅନୁପ୍ରବେଶ କରିଥିବାର ସୂଚନା ପାଇଲା ଭାରତ । ଏହାପରେ ୫ ମେରେ ଭାରତୀୟ ସେନାର ପାଟ୍ରୋଲିଂ ଟିମ୍ ସୂଚନା ନେବା ପାଇଁ କାରଗିଲ୍ ପହଂଚିଥିଲା । ହେଲେ ପାକ ସେନା ସେମାନଙ୍କୁ ଧରିନେଇ ୫ ଜଣକୁ ହତ୍ୟା କରିଥିଲେ। ୯ ମେରେ ପାକର ଗୁଳି ବଷର୍ଣ ଯୋଗୁଁ କାରଗିଲରେ ଥିବା ଭାରତର ଗୋଳାବାରୁଦ ଷ୍ଟୋର ନଷ୍ଟ ହୋଇ ଯାଇଥିଲା । ପରେ ୨୬ ମେ ରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ ବାୟୁସେନାକୁ ଦିଆଯାଇଥିଲା ଆଦେଶ । ୨୭ ମେରେ ପାକ୍ ସେନାଙ୍କ ବିରୋଧରେ ମିଗ୍ ୨୭ ଏବଂ ମିଗ୍ ୨୯ର ବ୍ୟବହାର କରିଥିଲା ଭାରତୀୟ ବାୟୁସେନା । କିନ୍ତୁ ଫ୍ଲାଇଟ୍ ଲେଫ୍ଟନାଣ୍ଟ ନଚିକେତାଙ୍କୁ ବନ୍ଦୀ କରିନେଇଥିଲା ଶତ୍ରୁ ସେନା । ଏହାପରେ ୬ ଜୁନରେ ପୂରା ସାହସ ଏବଂ ତାକତ ସହ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ଭାରତୀୟ ସେନା । ୯ ଜୁନରେ ବାଲ୍ଟିକ୍ କ୍ଷେତ୍ରର ୨ ଟି ଅଗ୍ରିମ ପୋଷ୍ଟରେ ପୁଣି ଥରେ ଭାରତୀୟ ସେନା କବଜା କରିଥିବା ବେଳେ ୧୧ ଜୁନରେ ଏହି ଅନୁପ୍ରବେଶରେ ପାକ୍ ସେନାର ହାତ ଥିବା ଏକ ରେକର୍ଡିଂ ଜାରି କରିଥିଲା ଭାରତ । ଯେଉଁଥିରେ ପରଭେଜ୍ ମୁଶାରଫ ଏବଂ ଆର୍ମି ଚିଫ୍ ଜେନେରାଲ୍ ଅଜିଜ୍ ଖାନଙ୍କ ଭଏସ୍ ଥିଲା ।

ଏହାପରେ ୧୩ ଜୁନରେ ଦ୍ରାସ୍ ସେକ୍ଟରର ତୋଲୋଲିଙ୍ଗରେ କବଜା କରିଥିଲା ଭାରତୀୟ ସେନା । ତାପରେ ୧୫ ଜୁନରେ ନିଜ ସେନାଙ୍କୁ କାରଗିଲରୁ ହଟାଇବା ପାଇଁ ପରଭେଜ୍ ମୁଶାରଫଙ୍କୁ ଫୋନ୍ କରି କହିଥିଲେ ଆମେରିକା ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍‌ । କିନ୍ତୁ ୨୯ ଜୁନରେ ଟାଇଗର୍ ହିଲ୍ ନିକଟସ୍ଥ ଦୁଇ ମହତ୍ବପୂର୍ଣ୍ଣ ପୋଷ୍ଟ ପଏଣ୍ଟ ୫୦୬୦ ଏବଂ ପଏଣ୍ଟ ୫୧୦୦ରେ ପୁଣି ଥିରେ କବଜା କରିନେଲା ଭାରତୀୟ ସେନା । ଏହାପରେ ୨ ଜୁଲାଇରେ କାରଗିଲ ଉପରେ ତିନି ପଟୁ ହମଲା କରିଥିଲା ଭାରତୀୟ ସେନା । ୪ ଜୁଲାଇରେ ଟାଇଗର୍ ହିଲକୁ ପୁଣି ଥରେ ସମ୍ପୂର୍ଣ୍ଣ ଭାବେ ଭାରତୀୟ ସେନା କବଜା କରିନେଇଥିବା ବେଳେ ୫ ଜୁଲାଇରେ ପୁଣି ଥରେ ଦ୍ରାସ ସେକ୍ଟରରେ କବଜା କରିଥିଲା ଭାରତୀୟ ସେନା । ଏହାର ତୁରନ୍ତ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ବିଲ କ୍ଲିଣ୍ଟନଙ୍କୁ ଫୋନ୍ କରି କହିଥିଲେ କାରଗିଲରୁ ସେ ନିଜ ସେନାକୁ ହଟାଉଛନ୍ତି । ଏହାପରେ ୭ ଜୁଲାଇରେ ଭାରତୀୟ ସେନା ବାଟାଲିକରେ ଥିବା ଜୁବର ହିଲକୁ କବଜା କଲା । ୧୧ ଜୁଲାଇରେ ବାଲାଟିକରୁ ପଳାୟନ କରିବାକୁ ଆରମ୍ଭ କଲେ ପାକିସ୍ତାନୀ ରେଞ୍ଜର୍ସ । ତା ପରେ ୧୪ ଜୁଲାଇରେ ‘ଅପରେସନ୍ ବିଜୟ’ରେ ବିଜୟ ଘୋଷଣା କଲେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଶେଷରେ ୨୬ ଜୁଲାଇରେ ଏହି ଦିନକୁ ବିଜୟ ଦିବସ ରୂପେ ଘୋଷଣା କଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ।