ଭାରତ ବିରୋଧୀ ମ୍ୟାଚ୍ ସରକାରଙ୍କ ନିଷ୍ପତ୍ତି, ଖେଳାଳିଙ୍କ ହାତରେ ନୁହେଁ: ବିଶ୍ଵକପକୁ ନେଇ ପାକ୍ ଅଧିନାୟକ ସଲମାନ ଆଗାଙ୍କ ବଡ଼ ବୟାନ
ନୂଆଦିଲ୍ଲୀ: T20 ୱର୍ଲ୍ଡ କପ୍ 2026ରେ ଭାରତ ବିରୋଧରେ 15 ଫେବୃଆରୀରେ ହେବାକୁ ଥିବା ମ୍ୟାଚ୍କୁ ନେଇ ପାକିସ୍ତାନ କ୍ରିକେଟ୍ ଟିମ୍ର ଅଧିନାୟକ ସଲମାନ ଆଗା ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଭାରତ ବିରୋଧୀ ମ୍ୟାଚ୍ ଖେଳିବା କିମ୍ବା ନ ଖେଳିବା ନିଷ୍ପତ୍ତି ଖେଳାଳିଙ୍କ ହାତରେ ନୁହେଁ, ବରଂ ଏହା ପାକିସ୍ତାନ ସରକାରଙ୍କ ନିଷ୍ପତ୍ତି। କୋଲମ୍ବୋରେ ମିଡିଆ ସହ କଥାହେବା ସମୟରେ ସଲମାନ ଆଗା କହିଥିଲେ, “ଭାରତ ବିରୋଧରେ ମ୍ୟାଚ୍ ଖେଳିବା ଆମ ନିୟନ୍ତ୍ରଣରେ ନାହିଁ। ଏହା ପାକିସ୍ତାନ ସରକାରଙ୍କ ନିଷ୍ପତ୍ତି ଏବଂ ଆମେ ସେହି ନିଷ୍ପତ୍ତିକୁ ସମ୍ମାନ କରୁ। ସରକାର ଯାହା କହିବେ, ଆମେ ସେହିପରି କରିବୁ।”

ଯଦି ଭାରତ ଓ ପାକିସ୍ତାନ ସେମିଫାଇନାଲ୍ କିମ୍ବା ଫାଇନାଲ୍ରେ ମୁହାଁମୁହିଁ ହୁଅନ୍ତି, ସେଥିରେ କ’ଣ ହେବ—ଏହି ପ୍ରଶ୍ନର ଉତ୍ତର ଦେଇ ସଲମାନ ଆଗା କହିଥିଲେ, “ଯଦି ଆମକୁ ପୁଣିଥରେ ନକ୍ଆଉଟ୍ ମ୍ୟାଚ୍ରେ ଭାରତ ବିରୋଧରେ ଖେଳିବାକୁ ପଡ଼େ, ତେବେ ଆମେ ପୁଣି ସରକାରଙ୍କ ପାଖକୁ ଯିବୁ ଏବଂ ସେମାନଙ୍କ ନିର୍ଦ୍ଦେଶ ଅନୁସାରେ ନିଷ୍ପତ୍ତି ନିଆଯିବ।” ସଲମାନ ଆଗା ଟୁର୍ଣ୍ଣାମେଣ୍ଟରେ ବାଂଲାଦେଶ ଟିମ୍ ଭାଗ ନ ନେବାକୁ ଦୁଃଖଦ ବୋଲି କହିଛନ୍ତି। ସେ କହିଛନ୍ତି, “ବାଂଲାଦେଶ ଆମର ଭାଇ ଭଳି। ସେମାନେ ଟୁର୍ଣ୍ଣାମେଣ୍ଟରେ ଆମକୁ ସମର୍ଥନ କରିପାରିଥାନ୍ତେ। ଏମିତି ପରିସ୍ଥିତିରେ ସେମାନଙ୍କୁ ଦେଖିବା ଖୁବ୍ ଦୁଃଖଦ,” ବୋଲି ସେ କହିଛନ୍ତି।